କ୍ବାଡ୍ ମେଣ୍ଟକୁ ଭୟ, ପ୍ରତିରକ୍ଷା ବଜେଟ୍ ୧୭.୫୭ ଲକ୍ଷ କୋଟିକୁ ବୃଦ୍ଧି କଲା ଚୀନ

ବେଜିଂ : ରୁଷ୍ ଦ୍ବାରା ୟୁକ୍ରେନ୍ ଉପରେ ଆକ୍ରମଣ କରାଯିବା ପରେ ବିଶ୍ବର ସୁରକ୍ଷା ସ୍ଥିତି ଜଟିଳ ହୋଇଚାଲିଛି । ଯେକୌଣସି ସମୟରେ ସ୍ଥିତି ଆହୁରି ବିଗିଡ଼ି ୩ୟ ବିଶ୍ବଯୁଦ୍ଧ ଲଗିଯାଇପାରେ । ଏହାକୁ ଦୃଷ୍ଟିରେ ରଖି ଚୀନ ନିଜର ପ୍ରତିରକ୍ଷା ବଜେଟକୁ ବଢାଇଦେଇଛି ।
ଚୀନ ପକ୍ଷରୁ ୨୦୨୨ ବର୍ଷ ପାଇଁ ନିଜର ପ୍ରତିରକ୍ଷା ବଜେଟକୁ ୭.୧ ପ୍ରତିଶତ ବୃଦ୍ଧି କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହା ଫଳରେ ଚୀନର ପ୍ରତିରକ୍ଷା ବଜେଟ ୨୩୦ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ସାଢେ ୧୭ ଲକ୍ଷ କୋଟି) କୁ ବୃଦ୍ଧି ପାଇବ । ଏ ସଂପର୍କରେ ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହା ତୁଳନାରେ ଭାରତ ପ୍ରତିରକ୍ଷା ବଜେଟ ହେଉଛି ୩.୮୫ ଲକ୍ଷ କୋଟି ।
୨୦୨୨ରେ ଚୀନ ନିଜର ୩ୟ ବିମାନବାହୀ ଯୁଦ୍ଧପୋତକୁ କାର୍ଯ୍ୟକ୍ଷମ କରିବ, ନିଜର ଜେ-୨୦ ଲଢୁଆ ବିମାନ ଉତ୍ପାଦନକୁ ବୃଦ୍ଧି କରିବ, ନିଜର ପରମାଣୁ ଅସ୍ତ୍ରଭଣ୍ଡାରକୁ ଆହୁରି ବୃଦ୍ଧି କରିବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।
ଏହି ରିପୋର୍ଟରେ କୁହାଯାଇଛି ଚୀନ ଚାରିପଟେ ସ୍ଥିତି ଦିନକୁ ଦିନ ଜଟିଳ ହେଉଛି । ବାହ୍ୟ ଶକ୍ତିମାନେ ନିୟମିତ ଭାବେ ନିଜର ସାମରିକ ଶକ୍ତିବୃଦ୍ଧି କରିବା ସହ ଚୀନ ଚାରିପଟେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଆମେରିକାର ଯୁଦ୍ଧ ପୋତ ତାଇଓ୍ବାନ ଉପକୂଳ ଓ ଦକ୍ଷିଣ ଚୀନ ସାଗରରେ ନିୟମିତ ଯୁଦ୍ଧାଭ୍ୟାସ କରୁଛନ୍ତି । ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କ୍ବାଡ୍ ମେଣ୍ଟ ଗଠନ କରିଛନ୍ତି । ସେହିପରି ଭାରତ ସଂପର୍କରେ ରିପୋର୍ଟରେ କୁହାଯାଇଛି ଯେ ଭାରତ-ଚୀନ ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି । ତେବେ ବାରମ୍ବାର ଆଲୋଚନା ସତ୍ତ୍ବେ ବିବାଦର ସମାଧାନ କରାଯାଇପାରିନାହିଁ । ଏପରି ସ୍ଥିତିରେ ନିଜର ଅଖଣ୍ଡତାକୁ ବଜାୟ ରଖିବାକୁ ଚୀନକୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ ।

nis-ad
Leave A Reply

Your email address will not be published.