ୟୁକ୍ରେନରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବ ରୁଷ, ଜାତିସଂଘକୁ ଜଣାଇଲା

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଭଲ ଖବର। ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବ। ଏଥିପାଇଁ ରୁଷର ବସ୍‌ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଗୁଡ଼ିକ ଖୁବଶୀଘ୍ର ଖାରକିଭ ଓ ସୁମି ଭଳି ସହରରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବେ। ଏ ସମ୍ପର୍କରେ ଆଜି ରୁଷ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ଅବଗତ କରାଯାଇଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଭିତରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ବୈଠକ ପାଇଁ ପ୍ରଥମେ ଆଲବାନିଆ, ଫ୍ରାନ୍ସ, ଆୟର୍ଲ୍ୟାଣ୍ଡ, ନରୱେ, ବ୍ରିଟେନ ଓ ଆମେରିକା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ଏହି ବୈଠକରେ ଜାତିସଂଘରେ ଅବସ୍ଥାପତି ରୁଷର ସ୍ଥାୟୀ ସଦସ୍ୟ ଭାସିଲୟ ନେବେନଜିଆ କହିଛନ୍ତି, ୟୁକ୍ରେନରେ ଫସିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ଉଦ୍ଧାର କରିବା ପାଇଁ ରୁଷ ସୈନ୍ୟମାନେ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ୟୁକ୍ରେନର ସେନା ଖାରକିଭ ଓ ସୁମୀରେ ବଳ ପୂର୍ବକ ୩୭୦୦ ଭାରତୀୟ ନାଗରିକଙ୍କୁ ବନ୍ଧକ ରଖିଛନ୍ତି।
ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ସହର ଛାଡ଼ିବାକୁ ଦେଉନାହାନ୍ତି। ଏହି ପ୍ରଭାବ ୟୁକ୍ରେନର ସାଧାରଣ ଲୋକଙ୍କ ବ୍ୟତୀତ ବିଦେଶୀ ନାଗରିକଙ୍କ ଉପରେ ମଧ୍ୟ ପଡ଼ିଛି। ଖାରକିଭରେ ୩୧୮୯ ଭାରତୀୟ, ଭିଏତନାମର ୨୭ଶହ ଓ ଚାଇନାର ୨୦୨ ଜଣ ନାଗରିକଙ୍କୁ ବଳ ପୂର୍ବକ ଅଟକ ରଖାଯାଇଛି। ସେହିପରି ସୁମୀରେ ୫୭୬ ଭାରତୀୟ, ଘାନାରର ୧୦୧ ଓ ଚାଇନାର ୧୨୧ ଜଣ ନାଗରିକ ରହିଛନ୍ତି।
ରୁଷର ବେଲଗୋରୋଡ ରିଜନରେ ୧୩୦ଟି ବସ୍‌ ପ୍ରସ୍ତୁତ ହୋଇ ରହିଛି। ବସ ଗୁଡ଼ିକ ନେଖୋଟୀଭକା ଓ ସୁଡଜା କ୍ରସିଂ ପଏଣ୍ଟ ଦେଇ ଖାରକିଭ ଏବଂ ସୁମୀ ଯିବେ। ବସ୍‌ ଯୋଗେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀ ଓ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଚେକ ପଏଣ୍ଟଗୁଡ଼ିକରେ ଉଦ୍ଧାର ହେଉଥିବା ଲୋକମାନେ ବିଶ୍ରାମ ନେବା ପାଇଁ ଟେଣ୍ଟ ଓ ଗରମ ଖାଦ୍ୟର ବ୍ୟବସ୍ଥା ହୋଇଛି। ଏଠାରେ ମୋବାଇଲ ମେଡିକାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତଙ୍କୁ ଚେକପଏଣ୍ଟରୁ ବେଲଗୋରୋଡ ରିଜନକୁ ନିଆଯିବ। ସେଠାରୁ ସେମାନେ ନିଜ ନିଜ ଦେଶକୁ ଯାଇପାରିବେ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.