ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ସିବିଆଇ ତଦନ୍ତରେ ସାମିଲ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ଶେଷରେ ସିବିଆଇ ତଦନ୍ତରେ ସାମିଲ ହୋଇଛନ୍ତି। ଆଜି ସେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ ଆରମ୍ଭ କରିଛନ୍ତି।
ପୂର୍ବରୁ ମଧ୍ୟ ଏହି ୨୨,୮୪୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣାରେ ସିବିଆଇ ତାଙ୍କୁ ଜେରା କରିଥିଲେ। ସେ ଦେଶର ପ୍ରାୟ ୨୮ଟି ବ୍ୟାଙ୍କରୁ ଏପରି ଋଣ ଜାଲିଆତି କରିଛନ୍ତି। ଏହି ଘଟଣାରେ ସିବିଆଇ ଫେବୃଆରୀ ୭ରେ ଏଫଆଇଆର ରୁଜୁ କରିଥିଲା। ଋଣ ଜାଲିଆତି ନେଇ ଏସବିଆଇ ୨୦୨୦ ମସିହା ଅଗଷ୍ଟ ୨୫ରେ ପ୍ରଥମେ ସିବିଆଇ ନିକଟରେ ଅଭିଯୋଗ କରିଥିଲା। ଦୀର୍ଘ ୨ ବର୍ଷ ପରେ ହିଁ ସିବିଆଇ ଚଳିତ ବର୍ଷ ମାମଲା ରୁଜୁ କରିଥିଲା। ଏଥିସହ ଅଭିଯୁକ୍ତମାନେ ଯେମିତି ଦେଶ ଛାଡ଼ି ଫେରାର ନ ହୋଇପାରିବେ, ସେଥିପାଇଁ ଲୁକ ଆଉଟ ସର୍କ୍ୟୁଲାର ମଧ୍ୟ ଜାରି କରାଯାଇଥିଲା।
ଏକଦା ଭାରତର ସର୍ବବୃହତ୍ତ ଜାହାଜ ନିର୍ମାଣକାରୀ ଘରୋଇ ସଂସ୍ଥାର ମାନ୍ୟତା ପାଇଥିବା ଏବିଜି ଶିପୟାର୍ଡ ଦେଶର ପ୍ରାୟ ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଜଣାପଡ଼ିଛି। ଏଥିପାଇଁ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏବିଜି ଶିପୟାର୍ଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ୨୭ଟି ବ୍ୟାଙ୍କକୁ ଚୁନା ଲଗାଇଛି। ଏପ୍ରିଲ ୨୦୧୨ରୁ ଜୁଲାଇ ୨୦୧୭ ମଧ୍ୟରେ ଏସ୍‌ବିଆଇରୁ ୨୯୨୫ କୋଟି, ICICIରୁ ୭୦୮୯ କୋଟି, ବ୍ୟାଙ୍କ ଅଫ୍ ବରୋଦାରୁ ୧୬୧୪ କୋଟି, ପିଏନ୍‌ବିରୁ ୧୨୪୪ କୋଟି, IDBIରୁ ୩,୬୩୯ କୋଟି ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୧,୨୨୮ କୋଟି ଟଙ୍କା ଠକେଇ ହୋଇଛି।
ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ଅପରାଧିକ ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଛି।

nis-ad
Leave A Reply

Your email address will not be published.