ନୀତିଶଙ୍କ ନିକଟକୁ ଫେରିବେ କି ପ୍ରଶାନ୍ତ କିଶୋର !

ପାଟନା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରୁଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ବେଙ୍ଗଲ ବିଧାନସଭା ବେଳେ ପିକେ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଏବେ ମମତାଙ୍କ ସହ ତାଙ୍କ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏସବୁ ଭିତରେ ପିକେ ହଠାତ୍‌ ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ନୀତୀଶ କୁମାରଙ୍କ ସହ ଡିନର କରିଛନ୍ତି। ପିକେ ଓ ନୀତୀଶଙ୍କ ମଧ୍ୟରେ ହୋଇଥିବା ଏହି ସରପ୍ରାଇଜ ଡିନର ରାଜନୀତିକ ଯୁଦ୍ଧରେ ନୂଆ ଟ୍ୱିଷ୍ଟ ଆଣିଛି। କାରଣ ଏକଦା ପିକେ ବିହାରରେ କ୍ଷମତାସୀନ ନୀତୀଶ କୁମାରଙ୍କ ଜେଡିୟୁର ସେକେଣ୍ଡ ମ୍ୟାନ ବା ଉପ ସଭାପତି ଥିଲେ। ହେଲେ ନୀତୀଶ କୁମାରଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହେବାରୁ ସେ ଜେଡିୟୁରୁ ବିଦା ହୋଇଥିଲେ।
ଏହାପରେ ସେ ବିଜେପି ବିରୋଧରେ ଯାଇ ମମତାଙ୍କ ସାଥ ଦେଇଥିଲେ। ଏବେ ପୁଣି ନୀତୀଶ କୁମାରଙ୍କ ସହ ତାଙ୍କର ନିବିଡ଼ତା ବଢ଼ିବା ନୂଆ ରାଜନୀତିକ ସମୀକରଣର ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଉଭୟ ପରସ୍ପର ସହ ରାତ୍ରଭୋଜନ କରିଥିଲେ। ୨୦୨୦ରେ ନୀତୀଶ କୁମାର ଜେଡିୟୁରୁ ପିକେରୁ ବଦା କରିଥିଲେ। ଏହାପରେ ପ୍ରଥମଥର ପାଇଁ ଶୁକ୍ରବାର ଉଭୟ ଏକାଠି ଡିନର କରିଛନ୍ତି। ଦିଲ୍ଲୀରେ ଥିବା ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ଏପରି ଭେଟଘାଟ ହୋଇଛି।
ଉଭୟ ପ୍ରାୟ ୨ ଘଣ୍ଟା ଧରି ପରସ୍ପର ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ତେବେ କ’ଣ ସବୁ ଆଲୋଚନା ହୋଇଛି, ସେକଥା ଜଣାପଡ଼ିନି। ନୀତୀଶ କୁମାର ଡିନର କଥାକୁ ସ୍ୱୀକାର କରିଛନ୍ତି। ପିକେଙ୍କୁ ସେ ତାଙ୍କର ପୁରୁଣା ବନ୍ଧୁ କହିଛନ୍ତି ଓ ଏହି ଡିନର ଭେଟଘାଟକୁ ନେଇ ଅଧିକ କିଛି ଆକଳନ କରିବା ଠିକ୍‌ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି। ପିକେ ମଧ୍ୟ ନୀତୀଶ କୁମାରଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା କହିଛନ୍ତି। ନୀତୀଶ କୁମାର ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ପିକେ ତାଙ୍କୁ ଫୋନ କରିଥିଲେ। ଏହି ସମୟରେ ନୀତୀଶ କୁମାର ତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଉକ୍ତ କଥାବାର୍ତ୍ତା ପରେ ଗତକାଲି ଉଭୟ ପରସ୍ପରକୁ ଭେଟିଥିବା ପିକେ କହିଛନ୍ତି। ତେବେ ଏହି ଭେଟଘାଟରେ କୌଣସି ରାଜନୀତିକ ଅଭିସନ୍ଧି ନଥିବା ସେ ସ୍ପଷ୍ଟ କରିଛନ୍ତି।
ନୀତୀଶ କୁମାରଙ୍କ ଜେଡିୟୁ ଓ ବିଜେପି ମିଳିତ ଭାବେ ବିହାରରେ ସରକାର ଗଠନ କରିଛନ୍ତି। ହେଲେ ନୀତୀଶ କୁମାରଙ୍କୁ ସବୁ ପ୍ରସଙ୍ଗରେ ବିଜେପି ଟାର୍ଗେଟ କରୁଛି। ଏପରି ସ୍ଥିତିରେ ନୀତୀଶ କୁମାର ଶୁକ୍ରବାର ପିକେଙ୍କୁ ଭେଟି ବିଜେପିକୁ ନୂଆ ସଙ୍କେତ ଦେବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ସେହିପରି ମମତା ବାନାର୍ଜୀଙ୍କ ସହ ପିକେଙ୍କ ଏବେ ଆଉ ଘନିଷ୍ଠତା ନାହିଁ। କୌଣସି ବି ମୁହୂର୍ତ୍ତରେ ମମତା ଓ ପ୍ରଶାନ୍ତ କିଶୋର ଅଲଗା ହୋଇପାରନ୍ତି। ଏପରି ସ୍ଥିତିରେ ପିକେ ଶୁକ୍ରବାର ନୀତୀଶ କୁମାରଙ୍କୁ ଭେଟି ନିଜର ଭବିଷ୍ୟତ ସମ୍ପର୍କରେ ମଧ୍ୟ ଆଲୋଚନା କରିଥାଇ ପାରନ୍ତି ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.