ନିର୍ବାଚନ ଲଢ଼ୁଛନ୍ତି ୨୫୦ ଥର ଜେଲ ଯାଇ ସାରିଥିବା ନେତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟ ଭୋଟ ବାକି ଅଛି। ଏସବୁ ଭିତରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୬୬ ବର୍ଷୀୟ ରବିଦାସ ମେହରୋତ୍ରା ବେଶ ଚର୍ଚ୍ଚାରେ ରହିଛନ୍ତି। କାରଣ ସେ ୨୫୦ ଥର ଜେଲ ଯାଇ ସାରିଛନ୍ତି। ତଥାପି ତାଙ୍କୁ ସପା ଲକ୍ଷ୍ନୌ ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ସେ ଲୋକଙ୍କ ସମର୍ଥନରେ ବିଧାନସଭାକୁ ନିର୍ବାଚିତ ହେବେ ବୋଲି ଆଶା ରଖିଛନ୍ତି।
ରବିଦାସ ଜେପି ଆନ୍ଦୋଳନରେ ଭାଗ ନେଇ ଜେଲ ଯାଇଥିଲେ। ଦେଶରେ ଜରୁରିକାଳୀନ ସ୍ଥିତି ଲାଗୁ ହେବା ବେଳେ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ ଦୀର୍ଘ ୨୦ ମାସ ପରେ ଜେଲରୁ ବାହାରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ତାଙ୍କର ଜେଲ ଯିବା ଆସିବା ଲାଗି ରହିଛି। ଇତି ମଧ୍ୟରେ ସେ ୨୫୦ ଥର ଜେଲ ଯାଇ ଫେରିଲେଣି।
ସେ କହିଛନ୍ତି, “ଜନତାଙ୍କ ପ୍ରସଙ୍ଗକୁ ଉଠାଇ ମୁଁ ସବୁବେଳେ ଆଗକୁ ଆସେ। ଅତ୍ୟାଚାର ବିରୋଧରେ ମୁ ସବୁବେଳେ ସ୍ୱର ଉଠାଇଛି। ଯେତେବେଳେ ବି ସରକାର ଦରବୃଦ୍ଧି କରିଛନ୍ତି ସେତେବେଳେ ମୁଁ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି। ଏଇ ୫ ବର୍ଷ ମଧ୍ୟରେ ମୋ ଉପରେ ଅନେକ ଥର ଲାଠି ମାଡ଼ ହୋଇଛି। ମୁଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ କରି ଜେଲ ଯାଇଛି। ଜନ ଆନ୍ଦୋଳନ ପାଇଁ ମୁଁ ବାରମ୍ବାର ଜେଲ ଯାଇ ବିଶ୍ୱ ରେକର୍ଡ କରିଛି। ମୁଁ ପ୍ରାୟ ୨୫୦ ଥର ଜେଲ ଯାଇ ସାରିଲିଣି।”
ରବିଦାସ ୨ ଥର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ୨୦୧୭ରେ ସେ ମାତ୍ର ୨୬ଶହ ଭୋଟରେ ହାରି ଯାଇଥିଲେ। ତାଙ୍କ ନାଁରେ ଏବେ ୨୨ଟି କେସ୍‌ ରହିଛି। ତେବେ ଏସବୁ ରାଜନୀତିକ ମାମଲା। ମୁଁ କେବେ ହେଲେ ଅନ୍ୟାୟ କରିନି। ଆନ୍ଦୋଳନ କରି ମୁଁ ଅନେକ ଥର ଜେଲ ଯାଇଥିବା ରବିଦାସ କହିଛନ୍ତି।

nis-ad
Leave A Reply

Your email address will not be published.