ଓଡ଼ିଶା ପୋଲିସ୍‌ର ଡିଏସ୍‌ପି ପଦରେ ଯୋଗଦେଲେ ବରିଷ୍ଠ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା

କଟକ : ବରିଷ୍ଠ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଆଜି ଓଡ଼ିଶା ପୋଲିସ୍‌ର ଡିଏସ୍‌ପି ପଦରେ ଯୋଗ ଦେଇଛନ୍ତି । ଟୋକିଓଠାରେ ଅନୁଷ୍ଠିତ ହୋଇଥିବା ଅଲମ୍ପିକ୍ସ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଟିମ୍‌ର ଅନ୍ୟତମ ମୁଖ୍ୟ ସଦସ୍ୟ ଭାବେ ବୀରେନ୍ଦ୍ର ଦେଶ ତଥା ରାଜ୍ୟ ପାଇଁ ଖ୍ୟାତି ଆଣିଥିଲେ । ପରେ ରାଜ୍ୟ ସରକାର ତାଙ୍କୁ ଅର୍ଥ ପୁରସ୍କାର ସହ ପୋଲିସ୍ ଡିଏସ୍‌ପି ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେହି ଅନୁଯାୟୀ, ଆଜି ବିଧିବଦ୍ଧ ଭାବେ ବୀରେନ୍ଦ୍ରଙ୍କୁ ପୋଲିସ୍ ଡିଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଅପରାହ୍ନରେ ବୀରେନ୍ଦ୍ର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ଆସି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଡିଜିପି ଶ୍ରୀ ବଂସଲ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଏବଂ ଶୃଙ୍ଖଳା) ଶ୍ରୀ ଆର୍‌.କେ. ଶର୍ମା, ଆଇ.ଜି(ପୋର୍ସନେଲ୍‌) ଶ୍ରୀ ଏସ୍‌. ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.