ଆକାଶ ପାଠକଙ୍କୁ ମିିଳିଲା ଜାମିନ

କଟକ: ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ଗଲା ୧୪ ମାସ ହେବ ଜେଲ୍‌ରେ ରହିଆସୁଥିବା ଆକାଶ ୫ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନ୍‌ଦାର୍‌ ବଦଳରେ ଜାମିନ୍‌ରେ ଯିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ନଭେମ୍ବର ୨୮ରେ ଗିରଫ ହୋଇଥିବା ଆକାଶ ପୂର୍ବରୁ ୫ଟି ମାମଲାର ଜାମିନ୍‌ ପାଇସାରିଥିବାବେଳେ ଶେଷ ମାମଲାରେ ଆଜି ତାଙ୍କୁ ଜାମିନ୍‌ ମିଳିଛି । ଫଳରେ ଆକାଶ ଜେଲରୁ ବାହାରିବା ଏକରକମ ସ୍ପଷ୍ଟ ହୋଇଯାଇଛି ।
ଆକାଶଙ୍କୁ ଜାମିନ୍‌ ପ୍ରଦାନ ଅବସରରେ ହାଇକୋର୍ଟ ସ୍ପଷ୍ଟ ସର୍ତ୍ତ ରଖିଛନ୍ତି କି, ଜାମିନ୍‌ରେ ଥିବାବେଳେ ସେ କୌଣସି ସାକ୍ଷୀଙ୍କ ସଂସ୍ପର୍ଶରେ ଆସିବେ ନାହିଁ କିମ୍ବା ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବା ଲାଗି ଚେଷ୍ଟା କରିବେ ନାହିଁ । ଏହି ମାମଲା ସହ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷ ଭାବେ ଜଡ଼ିତ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଭାବିତ କରିବେ ନାହିଁ । ଟ୍ରାଏଲ୍‌ କୋର୍ଟରେ ପ୍ରତ୍ୟେକ ଶୁଣାଣିରେ ହାଜର ହେବେ । ଅଦାଲତଙ୍କ ଅନୁମତି ବିନା ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ଯଦି ତାଙ୍କ ନିକଟରେ ପାସ୍‌ପୋର୍ଟ ଥାଏ ତାହେଲେ ତା’କୁ ଅଦାଲତଙ୍କ ନିକଟରେ ଦାଖଲ କରିବେ ।

ଯଦି ନଥାଏ, ସେ ସଂକ୍ରାନ୍ତରେ ଏକ ସତ୍ୟପାଠ ଅଦାଲତରେ ଦାଖଲ କରିବେ । ଏହି ଘଟଣା ସହ ଜଡ଼ିତ କୌଣସି କଥା ସେ ଗଣମାଧ୍ୟମକୁ ଦେବେ ନାହିଁ ବୋଲି ହାଇକୋର୍ଟ ଆକାଶ ପାଠକଙ୍କୁ ଜାମିନ୍‌ ଦେବା ଅବସରରେ ସର୍ତ୍ତ ରଖିଛନ୍ତି । ଯଦି ଏଥିରୁ କୌଣସି ସର୍ତ୍ତର ଉଲ୍ଲଂଘନ ହୁଏ ତାହେଲେ ତାଙ୍କ ଜାମିନ୍‌କୁ ଖାରଜ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

nis-ad
Leave A Reply

Your email address will not be published.