ନିଜ ବିଫଳତା ଲୁଚାଇବାକୁ ମୋଦି ନେହେରୁଙ୍କୁ ଦୋଷ ଦେଉଛନ୍ତି

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଲୋକେ କଂଗ୍ରେସର ଭଲ କାମକୁ ମନେ ପକାଉଛନ୍ତି। ହେଲେ ବିଜେପି ପିଏମ ମୋଦିଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଓ ରାଜ୍ୟର ଲୋକଙ୍କୁ ଅପମାନିତ କରିବାକୁ ପ୍ରୟାସ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ଭିଡିଓ ଜାରି କରି କହିଛନ୍ତି, ବିଜେପି ଶାସନରେ ଧନି ଲୋକେ ଧନି ହେଉଛନ୍ତି। ଆଉ ଗରିବ ଆହୁରି ଗରିବ ହେବାରେ ଲାଗିଛନ୍ତି। ବିଜେପି ନକଲି ରାଷ୍ଟ୍ରବାଦ ଯେତେ ଫମ୍ପା, ସେତେ ମାରାତ୍ମକ। ସେମାନଙ୍କର ରାଷ୍ଟ୍ରବାଦ ବ୍ରିଟିଶମାନଙ୍କର ବିଭେଦ ଏବଂ ଶାସନ ନୀତି ଉପରେ ନିର୍ଭର କରେ। ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଲଗାତର ଦୁର୍ବଳ କରାଯାଉଛି। ଏହି ସରକାର ମଧ୍ୟ ବୈଦେଶିକ ନୀତିରେ ସମ୍ପୂର୍ଣ୍ଣ ବିଫଳତା ବୋଲି ପ୍ରମାଣିତ ହୋଇଛି।
ମନମୋହନ ସିଂହ କହିଛନ୍ତି, କରୋନା ବେଳେ କେନ୍ଦ୍ର ସରକାରଙ୍କ ଦୁର୍ବଳ ନୀତି କାରଣରୁ ଲୋକେ ଆର୍ଥିକ, ବେରୋଜଗାର ଓ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ୭ରୁ ଅଧିକ ବର୍ଷ ଧରି ସରକାର ଚଳାଇବା ପରେ ସରକାର ନିଜ ଭୁଲ୍ ମାନିବା ଏବଂ ଏହାକୁ ସୁଧାରିବା ବଦଳରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ ଦୋଷୀ କରାଇବାରେ ଲାଗିଛନ୍ତି।
ମନମୋହନ ଆହୁରି କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାରରେ ଆର୍ଥିକ ନୀତିରେ କୌଣସି ଗୁରୁତ୍ୱ ନାହିଁ। ଏହି ସରକାର ବୈଦେଶିକ ନୀତିରେ ପୂରା ବିଫଳ ହୋଇଛନ୍ତି। ଚାଇନା ଆମ ସୀମା ଉପରେ ଆସି ଛିଡ଼ା ହେଲାଣି ଏବଂ ଏହି ମାମଲାକୁ ଚପାଇବାକୁ ପ୍ରୟାସ କରାଯାଉଛି। ରାଜନେତାଙ୍କୁ ଆଲିଙ୍ଗନ କରିବା କିମ୍ବା ବିନା ନିମନ୍ତ୍ରଣରେ ବିରିୟାନୀ ଖାଇବା ଦ୍ୱାରା ସମ୍ପର୍କ ସୁଧୁରିବ ନାହିଁ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ମନମୋହନ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦର ସ୍ୱତନ୍ତ୍ର ଗାରିମା ରହିଛି। ଆଉ ଏଭଳି ସ୍ଥିତିରେ ଇତିହାସ ଉପରେ ଦୋଷ ଲଦି ନିଜ ଦୋଷକୁ କମ୍ କରାଯାଇପାରିବ ନାହିଁ। ପୂର୍ବତନ ପିଏମ୍ କହିଛନ୍ତି ଯେ ନିଜର ୧୦ ବର୍ଷର କାର୍ଯ୍ୟକାଳରେ ସେ ନିଜେ ଅଧିକ କହିବା ଅପେକ୍ଷା କାମକୁ ଗୁରୁତ୍ୱ ଦେଉଥିଲେ। ରାଜନୀତିକ ଫାଇଦା ପାଇଁ ସେ କେବେବି ଅନୁସନ୍ଧାନ ଉପରେ ପର୍ଦା ପକାଇବାକୁ ପ୍ରୟାସ କରିନାହାନ୍ତି। ଏପରିକି ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ପଦର ଗାରିବାକୁ କେବେ କ୍ଷୂର୍ଣ୍ଣ ହେବାକୁ ଦେଇନଥିବା ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, କିଛି ଦିନ ତଳେ ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନାଁରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଓ ରାଜ୍ୟର ଲୋକଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଇଥିଲା। ଚାଷୀ ଆନ୍ଦୋଳନ ବେଳେ ମଧ୍ୟ ପଞ୍ଜାବ ଓ ପଞ୍ଜାବବାସୀଙ୍କୁ ଅପମାନିତ କରିବାକୁ ପ୍ରୟାସ କରାଯାଇଥିଲା। ସମଗ୍ର ଦୁନିଆ ପଞ୍ଜାବୀଙ୍କ ବାହାଦୂରୀ, ଦେଶଭକ୍ତି ଓ ବଳିଦାନକୁ ସଲାମ କରନ୍ତି, କିନ୍ତୁ ସେହି ପଞ୍ଜାବବାସୀଙ୍କ ଉପରେ କେହି ଆଲୋଚନା କରୁନାହାନ୍ତି। ଏଭଳି ଘଟଣା ମୋତେ ବହୁତ ବ୍ୟଥିତ କରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।

nis-ad
Leave A Reply

Your email address will not be published.