ବିରୋଧୀ ଭାଙ୍ଗି ପାରିବେନିଏମଭିଏ ମେଣ୍ଟ : ଶିବସେନା ମୁଖପାତ୍ର ସଂଜୟ ରାଉତ

ଦାଦର୧୫।୨: ଶିବସେନା ରାଜ୍ୟସଭା ସାଂସଦ ତଥା ପାର୍ଟିର ମୁଖପାତ୍ର ସଂଜୟ ରାଉତ ମଙ୍ଗଳବାର ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରରେ ବିଜେପି ମହାବିକାଶ ଅଘାଡ଼ି(ଏମଭିଏ) ନେତା ଓ ସେମାନଙ୍କ ପରିବାରଙ୍କୁ ଏବେ ଟାର୍ଗେଟ କରୁଥିବାର କହିଛନ୍ତି। ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିବା ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାନମାନଙ୍କୁ ଉପଯୋଗ କରୁଥିବାର ସେ ଅଭିଯୋଗ ଆଣିଛନ୍ତି। ତେବେ ବିଜେପିର ଏପରି ହୀନ ଉଦ୍ୟମ କେବେବି ସଫଳ ହେବନି ବୋଲି ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି।
ମଙ୍ଗଳବାର ରାଉତ ଦାଦରସ୍ଥିତ ଶିବସେନା ଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଚାପର ରଣନୀତି ଆଗରେ ମେଣ୍ଟ ମୁଣ୍ଡ ନୁଆଁଇବନି ବୋଲି କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରରେ କଂଗ୍ରେସ ଓ ଏନସିପି ସହଯୋଗୀ ଅଛନ୍ତି। ଏବେ ବିଜେପି ନେତାମାନେ ଦଳ ବଦଳାଇବା ଲାଗି ସରକାର ଓ ସହଯୋଗୀଙ୍କ ସହ ଯୋଗାଯୋଗ କରୁଥିବାର ବି ରାଉତ କହିଛନ୍ତି।
ଏହି ନେତାମାନେ ତାଙ୍କ ସହ ମଧ୍ୟ ସମ୍ପର୍କ କରିଥିଲେ ଓ ଯଦି ସେ ଦଳ ନ ଛାଡନ୍ତି ତେବେ ଏଥିପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡିବ ବୋଲି ମଧ୍ୟ ଚେତାଇଥିଲେ ବୋଲି କହିଛନ୍ତି। ମୋତେ ପ୍ରସ୍ତାବ ଦିଆଯିବା ପରେ ପରେ ପର୍ବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୋ ନିକଟତମ ଲୋକଙ୍କୁ ଟାର୍ଗେଟ କରିବାକୁ ଲାଗିଥିଲେ ବୋଲି ସେ କହିଛନ୍ତି।
ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାଙ୍ଗିବା ଲାଗି ଏବେ ରିତିମତ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏଥିରେ ଆମେ ନଇଁଯିବୁ ବୋଲି ଯଦି ସେମାନେ ଭାବୁଥାନ୍ତି ଏହା ସେମାନଙ୍କର ଭୁଲ ଧାରଣା ବୋଲି କହିଛନ୍ତି। ଇଡି ଏବେ ସରକାରଙ୍କ ନେତାମାନଙ୍କୁ ବଦନାମ କରିବା ଲାଗି ସେମାନଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ମଧ୍ୟ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବାର ସେ କହିଛନ୍ତି।
ମହାରାଷ୍ଟ୍ର ବିଜେପି ନେତା କିରିଟ ସୋମେୟାଙ୍କ ପୁଅ ନିଲ ସୋମେୟା ପିଏମସି ବ୍ୟାଙ୍କ ସ୍କାମର ମୁଖ୍ୟ ଅଭିଯୁକ୍ତ ରାକେଶ ୱାଧୱାଙ୍କ ବ୍ୟବସାୟୀକ ସହଯୋଗୀ। ଏ ବାବଦେ ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୁବ ଶୀଘ୍ର ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରଦାନ କରିବେ ବୋଲି ରାଉତ କହିଛନ୍ତି।
ଅପରପକ୍ଷେ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ରାଉତଙ୍କ ଅଭିଯୋଗର ଜବାବ ରଖିଛନ୍ତି। ସେ ଉଚିତ ସମୟରେ ଅଭିଯୋଗର ଉଚିତ ଜବାବ ଦେବେ ବୋଲି କହିଛନ୍ତି। ସୋମବାର ମହାରାଷ୍ଟ୍ର ବିଜେପି ରାଜ୍ୟସଭାପତି ଚନ୍ଦ୍ରକାନ୍ତ ପାଟିଲ ମାର୍ଚ୍ଚ ୧୦ ତାରିଖ ବେଳକୁ ରାଜ୍ୟରେ ଉଦ୍ଧବଙ୍କ ସରକାର ଭାଙ୍ଗିସାରିଥିବ ବୋଲି ରାଜନୈତିକ ଭବିଷ୍ୟତବାଣୀ କରିଥିଲେ।

nis-ad
Leave A Reply

Your email address will not be published.