ହିଜାବ ବାହାର କରିବାକୁ ଗେଟ ବାହାରେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଧମକ

ବେଙ୍ଗାଲୁରୁ: ‘ହିଜାବ ପିନ୍ଧିଲେ ସ୍କୁଲ ଭିତରେ ପ୍ରବେଶ ମନା। ଶୀଘ୍ର ହିଜାବ ବାହାର କର। ହିଜାବ ହଟାଇବା ପରେ ହିଁ ସ୍କୁଲ ଭିତରେ ପ୍ରବେଶ କରିପାରିବ।’ କର୍ଣ୍ଣାଟକ ଏକ ସ୍କୁଲ ବାହାରେ ଜଣେ ଛାତ୍ରୀଙ୍କୁ ଏଭଳି କିଛି ଧମକ ଦେଇଛନ୍ତି ଶିକ୍ଷୟିତ୍ରୀ। ଯହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ପ୍ରକୃତରେ ହିଜାବକୁ ନେଇ କର୍ଣ୍ଣାଟକରୁ ହିଁ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ର ରୂପ ନେଇସାରିଲାଣି। ଏହି ବିବାଦ ଭିତରେ ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ଏକ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ହିଜାବ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀ ଜଣକ ଯେତେବେଳେ ହିଜାବ ପିନ୍ଧି ନିଜ ବାପା-ମା’ଙ୍କ ସହ ସ୍କୁଲ ଗେଟ୍‌ ପାଖକୁ ଆସୁଛନ୍ତି ସେତେବେଳେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଅଟକାଇ ଦେଉଛନ୍ତି। ଛାତ୍ରୀଙ୍କୁ ହିଜାବ ହଟାଇବା ପାଇଁ କହୁଛନ୍ତି। ଏହାକୁ ନେଇ ଉଭୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଙ୍କ ବାପା-ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ପରେ ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ମୁଣ୍ଡରୁ ହିଜାବ ହଟାଇ ସ୍କୁଲ ଭିତରେ ପ୍ରବେଶ କରୁଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାର ଏକ ସରକାରୀ ସହାୟକ ବିଦ୍ୟାଳୟର ବାଳିକା ଛାତ୍ରମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବାକୁ କୁହାଯାଇଥିଲା। ସୂଚନା ମୁତାବକ, ହିଜାବକୁ ନେଇ ଲାଗିରହିଥିବା ବିବାଦ ଭିତରେ ଗତ ସପ୍ତାହରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନଃ ଖୋଲିପାରିବ, କିନ୍ତୁ ଧର୍ମ ସହ ଜଡିତ ପୋଷାକକୁ ଅନୁମତି ଦିଆଯିବ ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ ହିଜାବ ବିବାଦ ପରେ ବନ୍ଦ ହୋଇଥିବା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଆଜି ପୁଣି ଖୋଲିଛି। ତେବେ ଏକାଦଶ ଏବଂ ଦ୍ୱାଦଶର ସ୍କୁଲଗୁଡ଼ିକ ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିଛି। ହିଜାବ ମାମଲା ସମ୍ପର୍କରେ ହାଇକୋର୍ଟରେ ଶୁଣାଣି ମଧ୍ୟ ଚାଲିଛି। କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ଦ୍ୱାରା ଗତ ସପ୍ତାହରେ ଶାନ୍ତି ଏବଂ ସଦ୍‌ଭାବ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍କୁଲ କଲେଜଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଶିକ୍ଷାନୁଷ୍ଠାନ ପରିସରରେ ୧୪୪ ଧାରା ମଧ୍ୟ ଲାଗୁ ହୋଇଥିଲା।

nis-ad
Leave A Reply

Your email address will not be published.