ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ହିଞ୍ଜିଳିକାଟୁ ବ୍ଳକର ୫୪୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୮୨୨୪ ଭୋଟର…


ହିଞ୍ଜିଳିକାଟୁ : ଫେବୃୟାରୀ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହେବ । ହିଞ୍ଜିଳିକାଟୁ ବ୍ଳକ ପରିସରଭୁକ୍ତ ୨୧ଟି ପଞ୍ଚାୟତରେ ୩୦୭ଟି ବୁଥ୍ ରହିଥିବା ବେଳେ ୩ଟି ଜିଲ୍ଲା ପରିଷଦ ଆସନ ସକାଶେ ୧୨ ଜଣ (ବିଜେଡ଼ିରୁ ୩, ବିଜେପିରୁ ୩, କଂଗ୍ରେସରୁ ୩ ଏବଂ ଆମ୍ ଆଦମୀ ପାର୍ଟି ପକ୍ଷରୁ ୨ଜଣ ଓ ଜନସମାଜବାଦୀ ପାର୍ଟି ପକ୍ଷରୁ ଜଣେ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତରେ ସରପଞ୍ଚ ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ସକାଶେ ୮ଟି ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ଅବଶିଷ୍ଠ ୧୭ ପଞ୍ଚାୟତରେ ସରପଞ୍ଚ ପଦବୀ ସକାଶେ ୬୬ ଜଣ ପ୍ରାର୍ଥୀ ଓ ୧୩ ପଞ୍ଚାୟତରେ ସମିତିସଭ୍ୟ/ ସଭ୍ୟା ସକାଶେ ୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତିି । ୩୦୭ଟି ୱାର୍ଡ଼ ମଧ୍ୟରୁ ୧୫୩ଟି ୱାର୍ଡ଼ରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଥିବା ବେଳେ ଅବଶିଷ୍ଟ ୧୫୪ ୱାର୍ଡ଼ରେ ୨୬୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ଜଣାପଡ଼ିଛି । ହିଞ୍ଜିଳିକାଟୁ ବ୍ଳକର ସର୍ବମୋଟ ୫୪୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୮୨୨୪ ଭୋଟର ।
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁପରିଚାଳନା କରିବା ଲାଗି ୨୧ଜଣ ସେକ୍ଟର ଅଫିସର, ୩୦୭ ଜଣ ପ୍ରଥମ ପୋଲିଂ ଅଫିସର, ୩୦୭ ଜଣ ଦ୍ୱିତୀୟ ପୋଲିଂ ଅଫିସର ଏବଂ ୩୦୭ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ପୋଚିଲିମା ପଞ୍ଚାୟତର ସୋମପୁର ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୩୦୭ଟି ବୁଥ ମଧ୍ୟରୁ ୧୦୦ଟି ବୁଥକୁ ସମ୍ବେଦନଶୀଳ ଓ ୨୨ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ସରପଞ୍ଚ ପଦବୀ ସକାଶେ ୫ଟି ପଞ୍ଚାୟତରେ ଦ୍ୱିମୁଖୀ ଲଢେଇ, ୫ଟି ପଞ୍ଚାୟତରେ ତ୍ରିମୁଖୀ ଲଢେଇ, ୪ଟି ପଞ୍ଚାୟତରେ ଚର୍ତୁମୁଖୀ ଲଢେଇ ଓ ୩ଟି ପଞ୍ଚାୟତରେ ବହୁମୁଖୀ ଲଢେଇ ଥିବା ଜଣାପଡ଼ିଛି । ସେହିପରି ସମିତିସଭ୍ୟ ସକାଶେ ୩ଟି ପଞ୍ଚାୟତରେ ଦ୍ୱିମୁଖୀ ଲଢେଇ, ୬ଟି ପଞ୍ଚାୟତରେ ତ୍ରିମୁଖୀ ଲଢେଇ, ୨ଟି ପଞ୍ଚାୟତରେ ଚର୍ତୁମୁଖୀ ଲଢେଇ ଓ ୨ଟି ପଞ୍ଚାୟତରେ ବହୁମୁଖୀ ଲଢେଇ ହେଉଥିବା ଜଣାପଡ଼ିଛି । ଅନୁରୂପ ଭାବେ ୱାର୍ଡ଼ ସଭ୍ୟ ସକାଶେ ୯୯ଟି ୱାର୍ଡ଼ରେ ଦ୍ୱିମୁଖୀ, ୨୧ଟି ୱାର୍ଡ଼ରେ ତ୍ରିମୁଖୀ ଓ ଗୋଟିଏ ୱାର୍ଡ଼ରେ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ସୂଚନା ମିଳିଛି । ନିର୍ବାଚନ ଅଧିକାରୀ ଭାବେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ଜିପିଇଓ ପ୍ରଶାନ୍ତ କୁମାର ରଥ ନିର୍ବାଚନ ସୁପରିଚାଳନା କରିବେ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.