ଦେଶର ସବୁଠୁ ବଡ଼ ବ୍ୟାଙ୍କ ଋଣ ଠକେଇର ପର୍ଦ୍ଦାଫାସ କଲା ସିବିଆଇ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଋଣ ଠକେଇ ମାମଲା ସାମନାକୁ ଆସିଛି । ଏହି ଋଣ ଠକେଇ ପରିମାଣ ଏତେ ବଡ଼ ଯେ ତାହା ନିରବ ମୋଦୀ ଦ୍ବାରା କରାଯାଇଥିବା ପିଏନବି ଋଣ ଠକେଇକୁ ବଳିଯାଇଛି ।
ସିବିଆଇ ଆଜି ଏବିଜି ସିପୟାର୍ଡ ନାମକ ଏକ ଜାହାଜ ନିର୍ମାଣକାରୀ କମ୍ପାନିର ପ୍ରମୋଟର ଓ ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ଜାଲ କାଗଜପତ୍ର ଦେଖାଇ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୨ ହଜାର ୮୪୨ କୋଟି ଟଙ୍କାର ଋଣ ଉଠାଇ ଆତ୍ମସାତ କରିଥିବା ଅଭିଯୋଗରେ ସିବିଆଇ ଏବିବି ସିପୟାର୍ଡ ଓ ତାହାର ନିର୍ଦ୍ଦେଶକ ରିଷି ଅଗ୍ରଓ୍ବାଲ, ସାନ୍ଥନମ ମୁଥୁସ୍ବାମୀ ଓ ଅଶ୍ବିନୀ କୁମାରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ମୋଟ ୨୨ ହଜାର ୮୪୨ କୋଟି ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କରୁ ୭ ହଜାର କୋଟି, ଆଇଡିବିଆଇ ବ୍ୟାଙ୍କରୁ ୩୬୪୩ କୋଟି, ଏସବିଆଇରୁ ୨୯୨୫ କୋଟି,ବ୍ୟାଙ୍କ ଅଫ ବରୋଦାରୁ ୧୬୧୪ କୋଟି, ପିଏନବି ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୬୦୦ କୋଟି ଋଣ ନିଆଯାଇଛି । ଯେଉଁ କାମ ପାଇଁ ଋଣ ନେଇଥିଲେ ସେ କାମ ବଦଳରେ ଅନ୍ୟ ଅର୍ଥର ବିନିଯୋଗ କରାଯାଇଛି, ଯାହାକି ଋଣ ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି ସିବିଆଇ ନିଜ ଏଫଆଇଆରରେ କହିଛି । ୨୦୧୨ରୁ ୨୦୧୭ ମଧ୍ୟରେ ଏହି ଋଣ ନିଆଯାଇଥିଲା ।
ଏହାକୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଠକେଇ ବୋଲି କୁହାଯାଇଛି । ପୂର୍ବରୁ ନିରବ ମୋଦୀ ଦ୍ବାରା କରାଯାଇଥିବା ପିଏନବି ଠକେଇକୁ ଏହା କାଟିଦେଇଛି । ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ୍ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ୨୦୧୮ ମସିହାରେ ଏହି ଠକାମୀ ଲୋକଲୋଚନକୁ ଆସିବାରୁ ସିବିଆଇ ଓ ଇଡି ମୋଦି ଏବଂ ତାଙ୍କ ମାମୁ ଚୌକସିଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ।

nis-ad
Leave A Reply

Your email address will not be published.