ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଲା ଯୁବତୀଙ୍କ ମୃତଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଦଳିତ ଯୁବତୀ ଗତ ୨ ମାସ ଧରି ନିଖୋଜ ଥିବା ବେଳେ ଏବେ ଉଦ୍ଧାର ହୋଇଛି ତାଙ୍କ ମୃତଦେହ। ଯୁବତୀଙ୍କ ମୃତଦେହ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଥିବାରୁ ଏହାକୁ ନେଇ ଜୋର ଧରିବାରେ ଲାଗିଛି ରାଜନୀତି। ଏହି ଘଟଣାରେ ପୁଲିସ୍‌ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ଫତେହ ବାହାଦୁରଙ୍କ ପୁଅ ରଜୋଲ ସିଂଙ୍କୁ ଗିରଫ କରିଛି।
ଏନେଇ ମୃତା ଯୁବତୀଙ୍କ ମା’ ଦେଇଥିବା ସୂଚନା ଅନୁଯାୟୀ, ମୋ ଝିଅକୁ ରଜୋଲ ସିଂ ମାରି ନିଜ ଆଶ୍ରମରେ ପୋତି ଦେଇଥିଲା। ମୋ ଝିଅ ଅପହରଣ ପରେ ମୁଁ ବହୁ ଥର ଆଶ୍ରମକୁ ଯାଇଥିଲି। ସେମାନେ ମୋତେ ଅନ୍ୟ ଜାଗା ବୁଲାଇଥିବା ବେଳେ ଉକ୍ତ ଅଞ୍ଚଳକୁ ନେଇ ନ ଥିଲେ। ସନ୍ଦେହ ହେବାରୁ ମୁଁ ଣେ ସ୍ଥାନୀୟ ପୁଲିସ୍‌ ଅଫିସରଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇ ସାହାଯ୍ୟ ମାଗିଥିଲି । କିନ୍ତୁ ସେ ମୋତେ ସାହାଯ୍ୟ କରିବାକୁ ଆସିବା ପରିବର୍ତ୍ତେ ଫୋନ ସୁଇଚ ଅଫ କରିଦେଲେ। ଯଦି ଉକ୍ତ ପୁଲିସ୍‌ ଅଫିସର ଆସିଥାନ୍ତେ, ତା’ ହେଲେ ହୁଏତ ଆଜି ମୋ ଝିଅ ଜୀବିତ ଥାନ୍ତା।
ସୂଚନା ଅନୁଯାୟୀ, ୨ ମାସ ପୂର୍ବେ ରଜୋଲ ସମ୍ପୃକ୍ତା ଯୁବତୀଙ୍କୁ ଅପହରଣ କରି ନେଇଥିବା ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିଥିଲେ ବି କିଛି ପଦକ୍ଷେପ ଗ୍ରହଣ କରୁ ନ ଥିଲା। ଏଥିରେ ହତାଶ ହୋଇ ମହିଳାଜଣକ ଜାନୁଆରୀ ୨୪ ତାରିଖରେ ଲକ୍ଷ୍ନୌରେ ଅଖିଳେଶ ଯାଦବଙ୍କ ଗାଡ଼ି ଆଗକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ।
ଏହାପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ୍‌ ରଜୋଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ପଚରାଉଚରା କରିବା ପରେ ପୁଲିସ୍‌ ରଜୋଲଙ୍କ ଆଶ୍ରମର ପଛପଟେ ପୋତା ଯାଇଥିବା ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ଜବତ କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାରେ ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ ଚାଲିଥିବା ଉନ୍ନାଓ ଏସ୍‌ପି କହିଛନ୍ତି।
ମୃତା ଯୁବତୀଙ୍କ ମା’ଙ୍କ ଅଭିଯୋଗକୁ କିନ୍ତୁ ଉନ୍ନାଓ ଏସ୍‌ପି ଶଶି ଶେଖର ଖଣ୍ଡନ କରିଛନ୍ତି। ଏଥିସହ କହିଛନ୍ତି, ଯୁବତୀଜଣକ ନିଖୋଜ ଥିବା ନେଇ ଗତ ଡିସେମ୍ବର ୮ ତାରିଖରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ଏହାପରେ ଜାନୁଆରୀ ୧୦ ତାରିଖରେ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କଲା ପୁଲିସ୍‌ । ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲା। ଏହାପରେ ମୃତଦେହ ଜବତ ହୋଇଥିବା ବେଳେ ତାହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ତେଣୁ ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ କୌଣସି ଅବହେଳା କରି ନ ଥିବା ସେ କହିଛନ୍ତି।

nis-ad
Leave A Reply

Your email address will not be published.