ବିଜେପି ସମର୍ଥିତ ସରକାରକୁ ସମର୍ଥନ ଘୋଷଣା କଲା କଂଗ୍ରେସ

ଶିଲଂ: କେନ୍ଦ୍ରୀୟ ସ୍ତରରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ମେଘାଳୟରେ ଅଜବ ଘଟଣା ଘଟିଛି। ମେଘାଳୟରେ ଥିବା କଂଗ୍ରେସର ସମସ୍ତ ୫ ବିଧାୟକ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ସେମାନେ ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନପିପି) ନେତୃତ୍ୱାଧୀନ ସରକାରରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ତେବେ ଏହି ମେଣ୍ଟ ସରକାରରେ ବିଜେପି ପୂର୍ବରୁ ରହିଛି। ବିଜେପିର ୨ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କ ସହ ହାତ ମିଳାଇ କାମ କରୁଛନ୍ତି। ଏବେ କଂଗ୍ରେସ ଓ ବିଜେପି ଗୋଟିଏ ସରକାରକୁ ସମର୍ଥନ କରିବା ରାଜନୀତିକ ବାତବରଣକୁ ସରଗରମ କରିଛି।
୫ କଂଗ୍ରେସ ବିଧାୟକ ସେମାନଙ୍କ ନେତା ମାଜେଲ ଅମ୍ପପାରୀନ ଲାୟଙ୍ଗଢୋଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କୁ ସଚିବାଳୟରେ ଭେଟିଥିଲେ। ଏହାପରେ ସେମାନେ ବିଧିବଦ୍ଧ ଭାବେ ଗୋଟିଏ ଚିଠି ଜରିଆରେ ସରକାର ସହ ମିଶି କାମ କରିବାକୁ ଆଗ୍ରହ ଦେଖାଇଥିଲେ। କଂଗ୍ରେସ ବିଧାୟକମାନେ ସାଙ୍ଗମା ଗଠନ କରିଥିବା ମେଘାଳୟ ଡେମୋକ୍ରାଟିକ ଆଲିଆନ୍ସ(ଏମଡିଏ) ସରକାରରେ ମିଶିବା ରାଜ୍ୟର ବିକାଶ କରିବାକୁ ଚାହୁଁଛନ୍ତି।
ଚିଠିରେ କଂଗ୍ରେସ ବିଧାୟକମାନେ ଲେଖିଛନ୍ତି ଯେ “ଆମେ ଆପଣଙ୍କୁ ସମର୍ଥନ କରିବୁ ଓ ଏମଡିଏ ସରକାରର ହାତକୁ ମଜବୁତ କରିବୁ। ଆମର ଆଶା ଏହି ମିଶ୍ରଣ ପରେ ଆମେ ସମସ୍ତେ ମିଳିତ ଭାବେ ରାଜ୍ୟକୁ ଆଗକୁ ନେଇପାରିବା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ସରକାରଙ୍କ ସହ ହାତ ମିଳାଇବାକୁ ଚାହଁଛୁ।”
ମାଜେଲଙ୍କ ବ୍ୟତୀତ କଂଗ୍ରେସ ବିଧାୟକ ପିଟି ଶକମି, ମାୟରାଲବର୍ଣ୍ଣ ସାୟମ, କିମଫା ଏସ ମାରବାନିଆଙ୍ଗ ଓ ମହେନ୍ଦ୍ର ରାପସଙ୍ଗ ଉକ୍ତ ଚିଠିରେ ଦସ୍ତଖତ କରିଛନ୍ତି। କଂଗ୍ରେସ ବିଧାୟକମାନଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହେଲେ ମାଜେଲ କହିଛନ୍ତି, “ବିଜେପି ଏହି ମେଣ୍ଟ ସରକାରରେ ଅଛି କି ନାହିଁ ସେକଥା ମୁଁ ଜାଣିନି। ମେଣ୍ଟରେ କେଉଁମାନେ ଅଛନ୍ତି, ସେକଥା ଆମେ ସରକାରଙ୍କୁ ପଚାରିନୁ। କଂଗ୍ରେସ ବିଧାୟକମାନେ ଏମଡିଏ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଘାଳୟର ବିକାଶ ପାଇଁ ଏପରି ପଦକ୍ଷେପ ନିଆଯାଇଛି।”
ଏମଡିଏ ସରକାରଙ୍କୁ ସମର୍ଥନ କରିବା ପୂର୍ବରୁ ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କ ଠାରୁ ଅନୁମତି ଆଣିଛନ୍ତି କି ନାଁ, ତା’ର ଜବାବ କିନ୍ତୁ ମାଜେଲ ଦେଇନାହାନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସାଙ୍ଗମା କଂଗ୍ରେସ ବିଧାୟକମାନଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ରାଜନୀତିରେ କେହି ସ୍ଥାୟୀ ବନ୍ଧୁ କିମ୍ବା ବିରୋଧୀ ନଥାଆନ୍ତି। କଂଗ୍ରେସ ଯଦି ଏମଡିଏରେ ସାମିଲ ହେବାକୁ ଚାହୁଁଛି, ତା’ହେଲେ ଆମେ ଏହାକୁ ସ୍ୱାଗତ କରିବୁ।”
ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା କଂଗ୍ରେସ ବିଧାୟକଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେ ସମସ୍ତ ବିଧାୟକଙ୍କୁ ଟିଏମସିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କାରଣ ସେ ନିକଟରେ ଅନ୍ୟ ୧୧ ଜଣ କଂଗ୍ରେସ ବିଧାୟକଙ୍କୁ ସାଙ୍ଗରେ ଧରି ଟିଏମସିରେ ମିଶିଥିଲେ। ଏହାପରେ ହିଁ ବାକି ୫ ଜଣ କଂଗ୍ରେସ ବିଧାୟକ ଏମଡିଏ ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

nis-ad
Leave A Reply

Your email address will not be published.