ବିଶ୍ୱବଜାରରେ ପହଞ୍ଚିବ ରାଜ୍ୟ ହସ୍ତଶିଳ୍ପ, ଆଇଆଇଏମ୍‌ ସମ୍ୱଲପୁର-ଫ୍ଲିପ୍‌କାର୍ଟ ଚୁକ୍ତିନାମା

ବୁର୍ଲା: ସମ୍ବଲପୁରୀ ସମେତ ରାଜ୍ୟର ସମସ୍ତ ହସ୍ତଶିଳ୍ପ ବୁଣାକାର ଏବଂ କାରିଗରଙ୍କ ପାଇଁ ଖୁସି ଖବର । ଏବେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିଶ୍ୱବଜାରରେ ପହଞ୍ଚିବ । ଏହି ବୁଣାକାର ଏବଂ କାରିଗରଙ୍କ ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିବ । ଏନେଇ ଆଇଆଇଏମ୍‌ ସମ୍ବଲପୁର ଏବଂ ଫ୍ଲିପକାର୍ଟ କଂପାନି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ ଆଗକୁ ସବୁ ବିମାନବନ୍ଦରରେ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ନେଇ ବିଭାଗୀୟ ଯୁଗ୍ମ ସଚିବ ଉଷା ପାଢୀ ପ୍ରକାଶ କରିଛନ୍ତି ।

ଜ୍ୟୋତିବିହାରସ୍ଥିତ କ୍ୟାମ୍ପସ୍‌ରେ ଆଇଆଇଏମ ସମ୍ୱଲପୁର ସହିତ ଫ୍ଲିପକାର୍ଟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବୁଣାକାର ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକର ସ୍ଥାୟୀ ସମାଧାନ ଏବଂ ବ୍ୟବସାୟର ସ୍ଥାୟୀ ମାପଚୁପ ଉପରେ ତାଲିମ ପ୍ରଦାନ ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଇଆଇଏମ-ସମ୍ୱଲପୁରର ଡିଜିଟାଲ ପ୍ଲାଟଫର୍ମ ଏବଂ ଷ୍ଟାର୍ଟଅପ୍‌ ଉଦ୍ୟୋଗ ମାଧ୍ୟମରେ ବୁଣାକାର ତଥା କାରିଗରୀ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପକାର୍ଟ, ସ୍ୱଦେଶୀ ଇ-କମର୍ସ ମାର୍କେଟ ପ୍ଲସ୍‌ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

ଟେକ୍ନୋଲୋଜି, ଇ-କମର୍ସ ପ୍ଲାଟଫର୍ମ ଏବଂ ମାର୍କେଟ ଇନ୍‌ସାଇଟ୍‌ ଦ୍ୱାରା ଛୋଟ ବ୍ୟବସାୟ, କାରିଗର ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ ପାଇଁ ଅଗଷ୍ଟ ୨୦୨୧ରେ ଫ୍ଲିପକାର୍ଟ ଏବଂ ଆଇଆଇଏମ-ସମ୍ୱଲପୁର ମଧ୍ୟରେ ଘୋଷଣା ହୋଇଥିବା ସହଭାଗିତାର ଏହା ଅଂଶବିଶେଷ । ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଇଆଇଏମ୍‌-ସମ୍ୱଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ ଫ୍ଲିପକାର୍ଟ ଗ୍ରୁପର ମୁଖ୍ୟ କର୍ପୋରେଟ ବ୍ୟାପାର ଅଧିକାରୀ ରଜନୀଶ କୁମାରଙ୍କ ସହିତ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗଦେଇଥିଲେ । ଓଡ଼ିଶାର କାରିଗର ଏବଂ ବୁଣାକାରଙ୍କ କ୍ଲଷ୍ଟର୍‌ ଗୁଡ଼ିକୁ ଫ୍ଲିପକାର୍ଟର ସମର୍ଥ ପ୍ରୋଗ୍ରାମ ସହିତ ସେମାନଙ୍କ ବ୍ୟବସାୟକୁ ଏକ ସର୍ବଭାରତୀୟ ଗ୍ରାହକ ଆଧାର ସହିତ ସଂଯୋଗ କରିବ । ଅନୁଷ୍ଠାନ ଦ୍ୱାରା ବ୍ୟବସାୟ ପରିଚାଳନା, ମାର୍କେଟିଂ, ବିତ୍ତୀୟ କାରବାର ବିଷୟରେ ତାଲିମ ପ୍ରଦାନ କରାଯିବ ।

ଫ୍ଲିପକାର୍ଟର ମୁଖ୍ୟ କର୍ପୋରେଟ ଅଧିକାରୀ ରଜନୀଶ କୁମାର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଏକ ସ୍ୱଦେଶୀ କମ୍ପାନି ଭାବରେ ବୈଷୟିକ କୌଶଳ ମାଧ୍ୟମରେ କାରିଗର ଏବଂ ବୁଣାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଚୁକ୍ତି ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଶିଳ୍ପ ପାଇଁ ବିରାଟ ସୁଯୋଗ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀମତୀ ପାଢୀ ତାଙ୍କ ବକ୍ତବ୍ୟରେ ‘ହସ୍ତତନ୍ତ ମୋ ହୃଦୟର ଅତି ନିକଟତର’ ବୋଲି ପ୍ରକାଶ କରିଥିଲେ । ଏହାର ପ୍ରଚାର ପ୍ରସାର ପାଇଁ ଆଗାମୀ ଦିନରେ ସବୁ ବିମାନ ବନ୍ଦରରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଆୟୋଜିତ କରିବାକୁ ସ୍ଥିର ହୋଇଥିବା ସେ ସୂଚନା ଦେଇଥିଲେ ।

ସଭାପତିତ୍ୱ ଅଭିଭାଷଣରେ ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ଜୟସ୍ୱାଲ କହିଥିଲେ ଯେ, ଇଣ୍ଡିଆ ବ୍ରାଣ୍ଡ ଇକ୍ୟୁଟି ଫାଉଣ୍ଡେସନ ଅନୁଯାୟୀ, ଭାରତୀୟ ହସ୍ତତନ୍ତ ଶିଳ୍ପରେ ସାତ ଲକ୍ଷରୁ ଅଧିକ ଆଞ୍ଚଳିକ କାରିଗର ଏବଂ ୬୭ ହଜାରରୁ ଅଧିକ ରପ୍ତାନକାରୀ ବିଶ୍ୱ ବଜାରରେ ଆଞ୍ଚଳିକ କଳା ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରୁଛନ୍ତି । ଭାରତୀୟ ହସ୍ତଶିଳ୍ପ ହେଉଛି ବୃହତ୍ତମ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର । ଦେଶର ରପ୍ତାନିରେ ଏକ ପ୍ରମୁଖ ଅଂଶ ଭାବେ ଏହି କ୍ଷେତ୍ର ବିବେଚିତ ହୋଇଆସିଛି । ତଥାପି ପ୍ରୋତ୍ସାହନ ଏବଂ ଦକ୍ଷତାର ଅଭାବ ଯୋଗୁଁ ଏମାନେ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ଭିତରେ ଆବଦ୍ଧ ରହି ଯାଇଛନ୍ତି । ତେବେ, ଏ ଦିଗରେ ଏହି ବୁଝାମଣାପତ୍ର ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।
ଗତ ଶୁକ୍ରବାର ଅଧିକାରୀ ମାନଙ୍କ ପାଇଁ ହ୍ୟାଣ୍ଡଲୁମ ଡ୍ରେସ କୋଡ୍‌ ଆରମ୍ଭ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ ବାନ୍ଧଶିଳ୍ପୀ ରାମକୃଷ୍ଣ ମେହେର, ଡ. ସୁରେନ୍ଦ୍ର ମେହେରଙ୍କ ସମେତ ପ୍ରତିଷ୍ଠିତ କାରିଗର ଏବଂ ବୁଣାକାର ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.