ଭିଟାମିନ ଚାଉଳ କିଣା ପ୍ରସଙ୍ଗ: ଦାୟୀ ଅଧିକାରୀଙ୍କଠାରୁ କ୍ଷତି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ବରଗଡ଼ ଜିଲ୍ଲାରେ ୨୪ ହଜାର ୪୧୨ ମେଟ୍ରିକ ଟନର ମାତ୍ରାଧିକ ଭିଟାମିନଯୁକ୍ତ ଚାଉଳ କ୍ରୟ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ କ୍ଷତିର ଆକଳନ ହୋଇ ନାହିଁ। ଚାଉଳର ପରିବହନ, ପ୍ରୋସେସିଂ, ଆରଆରସି ଏବଂ ହେଣ୍ଡଲିଂ ବାବଦରେ ଯେତେ ଖର୍ଚ ହୋଇଛି ଦାୟୀ ବ୍ୟକ୍ତିଙ୍କ ଠାରୁ ଆଦାୟ କରାଯିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ବିଶ୍ବଜିତ ଦାସ। ଦାୟୀ ଅଧିକାରୀ ବ୍ୟକ୍ତିଙ୍କ ବିରୋଧରେ ପ୍ରୋସିଡିଂ ସହିତ ଏଥିସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି। ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଜାଣତରେ ଚାଉଳ କ୍ରୟ ହୋଇନଥିବାବେଳେ ସେ ନିଜ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ସମେତ ବିଭିନ୍ନ ରାଜ୍ୟର ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆଇରନ, ଫୋଲିକ ଏସିଡ ଏବଂ ଭିଟାମିନ ବି ୧୨ ଥିବା ପୋଷଣଯୁକ୍ତ ଚାଉଳ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିଯୋଗୁଁ ବିଭିନ୍ନ ଜିଲ୍ଲାର ଯୋଗାଣ ବିଭାଗକୁ ଟ୍ୟାଗ ହୋଇଥିବା ମିଲର୍ସଙ୍କ ପାଖରୁ ଭିଟାମିନଯୁକ୍ତ ଏହି ଚାଉଳ ସ୍ବତନ୍ତ୍ର ଭାବରେ କ୍ରୟ କରିବା ପାଇଁ କୁହାଯାଇଥିଲା। ପରିଚାଳନା ନିର୍ଦେଶକଙ୍କ ସୂଚନା ଅନୁସାରେ, ଡିସେମ୍ବର ୨୯ ତାରିଖରେ ଜାରି ପତ୍ର ଅନୁସାରେ, ବରଗଡ଼ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ୨୪୦୦୦ ମେଟ୍ରିକ ଟନର ଭିଟାମିନଯୁକ୍ତ ଚାଉଳ ଅତାବିରା ସ୍ଥିତ ରାଇସ ମିଲରୁ କ୍ରୟ ପାଇଁ କୁହାଯାଇ ଥିଲା। ଏହି ଚାଉଳ ନିଜ ଜିଲ୍ଲାର ପିଲାଙ୍କ ମଧ୍ୟାହ୍ନ ଭୋଜନ ସହିତ ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଉପଯୋଗରେ ଆସିଥାଆନ୍ତା। ଏଥି ଅନ୍ତର୍ଗତରେ ଦୁଇଟି କ୍ବାଟର ପାଇଁ ବରଗଡ଼ ଜିଲ୍ଲାର ଆବଶ୍ୟକତା ୧୧୪୨.୬୫ ମେଟ୍ରିକ ଟନ ଏବଂ ୨୭୫.୪୦ ମେଟ୍ରିକ ଟନ ଥିଲା। କିନ୍ତୁ ବରଗଡ଼ ଜିଲ୍ଲାର ଯୋଗାଣ ବିଭାଗ ନିଜ ଆବଶ୍ୟକତା ଅନୁସାରେ ୧୪୧୮.୦୫ ମେଟ୍ରିକ ଟନ କ୍ରୟ କରିବା ପରିବର୍ତ୍ତେ ୨୫୮୩୦.୬୧୯ ମେଟ୍ରିକ ଟନ ଭିଟାମିନଯୁକ୍ତ ଚାଉଳ ମିଲ ଠାରୁ କ୍ରୟ କରିଛି। ପିଡିଏସ ଯୋଜନା ପାଇଁ ଏହି ଚାଉଳ ବ୍ୟବହାର ସଂକ୍ରାନ୍ତରେ କୌଣସି ନିର୍ଦେଶ ନଥିବାବେଳେ କାହିଁକି ବରଗଡ଼ ଯୋଗାଣ ବିଭାଗ ଏତେ ଅଧିକ ଭିଟାମିନଯୁକ୍ତ ଚାଉଳ ଗ୍ରହଣ କଲା ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। କେବଳ ବରଗଡ଼ ନୁହେଁ ରାଜ୍ୟର ଆହୁରି ଅନେକ ଜିଲ୍ଲା ମାତ୍ରାଧିକ ଭିଟାମିନଯୁକ୍ତ କ୍ରୟ କରିଥିବା ଆଶଙ୍କା କରାଯାଉଛି। ସାଧାରଣ ଚାଉଳ ଅପେକ୍ଷା ଭିଟାମିନଯୁକ୍ତ ଚାଉଳ କ୍ରୟ ପାଇଁ ଅଧିକ ଖର୍ଚ ହୋଇଥାଏ। ତେଣୁ ଏହି କ୍ଷତିର ଭରଣା ଦାୟୀ ଅଧିକାରୀଙ୍କ ଠାରୁ କରାଯିବ ବୋଲି ପରିଚାଳନା ନିର୍ଦେଶ କହିଛନ୍ତି।

nis-ad
Leave A Reply

Your email address will not be published.