ଅଭିନେତା ଶ୍ରେୟସ ତଲପଡେ ଏବଂ ଆଲୋକ ନାଥଙ୍କ ବିରୋଧରେ ହରିୟାଣାର ସୋନିପତ ଜିଲ୍ଲାର ମୁରଥାଲ ପୋଲିସ ଷ୍ଟେସନରେଠକେଇ ମାମଲା ରୁଜ୍ଜୁ ହୋଇଛି। ଗତ ୨୨ତାରିଖରେ ଦାଖଲ ହୋଇଥିବା ଏତଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୮(୨) ଓ ୩୧୮(୪) ଅନୁଯାୟୀ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ କଳାକାରଙ୍କୁ ତାଲିକାଭୁକ୍ତ କରାଯାଇଛି। ଅପରାଧିକ କାର୍ଯ୍ୟ, ଠକେଇ ଏବଂ ଠକେଇ ମାଧ୍ୟମରେ ସମ୍ପତ୍ତି ହସ୍ତାନ୍ତର ଆଦି ଆଧାରରେ ଏତଲା ଦାୟର କରାଯାଇଥିବା ଜଣାପଡିଛି।
ମୁରଥାଲର ଅତିରିକ୍ତ ପୋଲିସ କମିଶନର ଅଜିତ ସିଂହ କହିଛନ୍ତି ଯେ ଅଭିଯୋଗକାରୀ ପୋଲିସକୁ ଦେଇଥିବା ବୟାନରେ ଦୁଇ ଅଭିନେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଶ୍ରୀ ସିଂହ କହିଛନ୍ତି,ମୁଖ୍ୟ ଅଭିଯୋଗ ହେଉଛି ସେହି ସୋସାଇଟି ବିରୋଧରେ ଯେଉଁମାନେ ଲୋକଙ୍କୁ ନିବେଶ କରିବାର ପ୍ରଲୋଭନ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କର କ’ଣ ଭୂମିକା ରହିଛି, ତାହାର ତଦନ୍ତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସୋନିପତ ବାସିନ୍ଦା ବିପୁଲ ଆଣ୍ଟିଲ ବହୁରାଜ୍ୟ ସମବାୟ ସମିତି ଆଇନ, ୨୦୦୨ ଅନୁଯାୟୀ ଇନ୍ଦୋରରେ ପଞ୍ଜୀକୃତ ହୋଇଥିବା ମାନବ କଲ୍ୟାଣ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ବିରୋଧରେ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବର ୧୬ରୁ ହରିଆଣା ସମେତ ଅନେକ ରାଜ୍ୟରେ ଏହି ସୋସାଇଟି ସକ୍ରିୟ ଥିଲା। ସୋସାଇଟି ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଏଫଡି ଏବଂ ଆରଡି ସ୍କିମ୍ ପ୍ରଦାନ କରିଥିଲା କିନ୍ତୁ ଏକ ବହୁସ୍ତରୀୟ ମାର୍କେଟିଂ ଆଭିମୁଖ୍ୟ ବ୍ୟବହାର କରିଥିଲା, ଯାହା ଏଜେଣ୍ଟମାନଙ୍କୁ ଅଧିକ ନିବେଶକଙ୍କୁ ଆଣିବା ପାଇଁ ପ୍ରୋତ୍ସାହନ ଦେଇଥିଲା।