ମୁମ୍ବାଇ: ମହାରାଷ୍ଟ୍ରର ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁସାରେ, ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାର ଆର୍କେ ଶାଖା ସେକ୍ସସନରେ ସକାଳ ୧୦ଟାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା।। । ଏଥିରେ ୧୩ ଜଣ ଫସି ରହି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।
କାରଖାନାରେ ଛାତ ଭୁଶୁଡିବା ପରେ ଜେସିବି ସାହାଯ୍ୟରେ ଏସବୁ ସଫା କରା ଯାଉଛି। ଭଣ୍ଡାରା ଜିଲ୍ଲାର ଜବାହାର ନଗର କାରାଖନାରେ ବିସ୍ଫୋରଣ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
କାରଖାନାରେ ଛାତ ଭୁଶୁଡ଼ି ପଡ଼ିବା ପରେ ଜେସିବି ଲଗାଇ ଏହାକୁ ବାହାର କରାଯାଇଥିଲା ବୋଲି ଜିଲ୍ଲା ପ୍ରଶାସନ କହିଛି। ତେବେ ବିସ୍ଫୋରଣ କେମିତି ଘଟିଲା ? କାହିଁକି ଘଟିଲା ? ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ମାମଲାରେ ତଦନ୍ତ ଜାରି ରହିଛି।
ସେପଟେ ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଏହା ମୋଦୀ ସରକାରଙ୍କ ବିଫଳତା ବୋଲି କହିଛନ୍ତି। ଅନ୍ୟପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ।