ମାଲକାନଗିରି ଆପନମାଳା ଜଙ୍କସନରେ ପହଞ୍ଚିଲା ବନ୍ଦେ ଭାରତ ସ୍ପିଡ ଟ୍ରେନ

ମାଲକାନଗିରି : ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କୁନି ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମକୁ ବନ୍ଦେ ଭାରତ ସ୍ପିଡ ଟ୍ରେନ ସଦୃଶ ଚିତ୍ର ଅଙ୍କା ଯାଇଛି।ଏହା କୌଣସି ମନଗଢା କାହାଣୀ ନୁହେଁ,ଏହାର ବାସ୍ତବତା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତର ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମାହାଳୀଙ୍କ ପ୍ରୟାସରେ ବିଦ୍ୟାଳୟରେ ବନ୍ଦେ ଭାରତ ସ୍ପିଡ ଟ୍ରେନର ଚିତ୍ର ଅଙ୍କା ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଏହି ବନ୍ଦେ ଭାରତ ସ୍ପିଡ ଟ୍ରେନର ବିଶେଷତ୍ଵ ସମ୍ପର୍କରେ ଧାରଣା ଦେବା ସହ ବନ୍ଦେ ଭାରତ ସ୍ପିଡ ଟ୍ରେନ କଣ ବୁଝାଇ ଏବେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।ଏହି ଟ୍ରେନଟି କେବଳ ସପ୍ତାହରେ ୬ ଦିନ ଚାଲୁଥିବା ବେଳେ ରବିବାର ଏବଂ ସରକାରୀ ଛୁଟି ଦିନ ମାନଙ୍କରେ ଏହାର ସେବା ବନ୍ଦ ରହେ।ଏହି ବନ୍ଦେ ଭାରତ ସ୍ପିଡ ଟ୍ରେନଟି ଭାରତୀୟ ରେଳ ବିଭାଗର କୌଣସି ରେଳ ପଟ୍ରି ଉପରେ ଗଡେ ନାହିଁ। ମାଲକାନଗିରି ଜିଲ୍ଲା ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବିଦ୍ୟାଳୟର କ୍ଲାସରୁମକୁ ବନ୍ଦେ ଭାରତ ସ୍ପିଡ ଟ୍ରେନ ଭଳି ଚିତ୍ରଣ କରାଯାଇଛି। କୁନି କୁନି ଛାତ୍ରଛାତ୍ରୀ ମାନେ ବନ୍ଦେ ଭାରତ ସ୍ପିଡ ଟ୍ରେନ ଭଳି ଚିତ୍ରିତ କ୍ଲାସରୁମରେ ବସି ପାଠ ପଢୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ଟ୍ରେନ ବଗି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି।ଶବ୍ଦହୀନ , ଗତିହୀନ ଏହି ବନ୍ଦେ ଭାରତ ସ୍ପିଡ ଟ୍ରେନ ଏବେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆଗ୍ରହୀ କରୁଛି।ମାଲକାନଗିରି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଟ୍ରେନ ଯାତାୟତ କରିନାହିଁ। ଏଠାକାର ଅଧିକାଂଶ ଲୋକ ଟ୍ରେନ ଦେଖି ନାହାଁନ୍ତି। ଛାତ୍ରଛାତ୍ରୀ ମାନେ କେବଳ ବହିପତ୍ର ଏବଂ ଦୂରଦର୍ଶନରେ ଟ୍ରେନ ଦେଖିଛନ୍ତି। ବୋଧହୁଏ ରାଜ୍ୟର ଏକମାତ୍ର ଉପାନ୍ତ ଜିଲ୍ଲା ମାଲକାନଗିରି ଯେଉଁଠି ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ରେଳ ଚଳାଚଳ କରିନାହିଁ। ଛାତ୍ରଛାତ୍ରୀଙ୍କୁ ରେଳ ସମ୍ପର୍କରେ ସଚେତନ କରିବା ସହ ବନ୍ଦେ ଭାରତ ସ୍ପିଡ ଟ୍ରେନ ବିଷୟରେ ଅବଗତ କରିବା ପାଇଁ ଶ୍ରେଣୀ ଗୃହକୁ ଚିତ୍ରଣ କରାଯାଇଛି। ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନର ବାଲା ଆକ୍ଟିଭିଟି ଯୋଜନା ମାଧ୍ୟମରେ ଏହା ପ୍ରସ୍ତୁତ ହୋଇଛି।ଏହି ଟ୍ରେନ ଛବି ଦେଖି ଛାତ୍ରଛାତ୍ରୀ ମାନେ ବନ୍ଦେ ଭାରତ ସ୍ପିଡ ଟ୍ରେନ ସମ୍ପର୍କରେ ସମ୍ୟକ ଧାରଣା ପାଇ ପାରିବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମାହାଳୀ କହିଛନ୍ତି।

ବନ୍ଦେ ଭାରତ ସ୍ପିଡ ଟ୍ରେନ ଭାରତ ସରକାରଙ୍କ ମେକ ଇନ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ବିଶେଷ।ଏହି ଟ୍ରେନଟି ୧୫ ଫେବୃଆରୀ ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ବାରା ବିଧିବଦ୍ଧ ଭାବରେ ବାଣିଜ୍ୟିକ ସେବା ପ୍ରଦାନ ନିମନ୍ତେ ଜନସାଧାରଣଙ୍କ ପାଇଁ ପ୍ରବେଶ କରାଯାଇଥିଲା। ଭାରତୀୟ ରେଳବାଇ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ସ୍ୱଦେଶୀ ନବସୃଜନ ଏବଂ ଆଧୁନିକ ରେଳ ଯାତ୍ରାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଉଭା ହୋଇଛି। ଫେବୃଆରୀ ୧୫, ୨୦୧୯ ମସିହାରେ ଆରମ୍ଭ ହୋଇଥିଲା। ପ୍ରଥମେ ଦେଶର ରାଜଧାନୀ ନୂଆଦିଲ୍ଲୀ ଏବଂ ବାରାଣସୀ ମଧ୍ୟରେ ଏହାର ଉଦଘାଟନୀ ଯାତ୍ରା ଆରମ୍ଭ କରିଥିଲା।ଏହି ସେମି-ହାଇ-ସ୍ପିଡ୍ ଟ୍ରେନ ଭାରତରେ ରେଳ ଯାତ୍ରାକୁ ପୁନଃ ପରିଭାଷିତ କରିଛି। ଗତି, ଆରାମଦାୟକ ଏବଂ ଦକ୍ଷତା ସମ୍ପନ୍ନ ଜ୍ଞାନ କୌଶଳରେ ନିର୍ମିତ।

ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଭାରତୀୟ ରେଳ ନେଟୱାର୍କରେ ୧୦୨ ଟି ଟ୍ରେନ୍ ସେବା ପରିଚାଳନା କରି ଆସୁଛି। ଯାହା ଭାରତର ୨୮୦ ଟି ଜିଲ୍ଲାକୁ ସଂଯୋଗ କରିବାରେ ସଫଳ ହୋଇଛି। ସ୍ବାଧିନତାର ୭୭ ବର୍ଷ ପରେ ମଧ୍ୟ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଲୋକେ ଟ୍ରେନ ସେବାର ସ୍ବାଦ ଚାଖି ପାରି ନାହାନ୍ତି କି ଟ୍ରେନ କଣ ଏ ବିଷୟରେ ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଜାଣି ନଥିବା ବେଳେ ଆପନମାଳା ୟୁପିଏସ ଭଳି ଏକ ଛୋଟ ବିଦ୍ୟାଳୟରେ ଏହାର ଏକ କୃତ୍ରିମ ଚିତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଟ୍ରେନ ସମ୍ପର୍କରେ ସମ୍ୟକ ସୂଚନା ପାଇଲା ପରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି।

ବିଗତ କିଛି ବର୍ଷ ହେବ ମାଲକାନଗିରି ଜିଲ୍ଲାରେ ଟ୍ରେନ ସେବା ଯୋଗାଇ ଦେବା ପାଇଁ କଳ୍ପନାଜଳ୍ପନା ଚାଲିଥିବା ବେଳେ କିନ୍ତୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କୃତ୍ରିମ ଚିତ୍ର ଟ୍ରେନରେ ଯାତ୍ରା କରି ଖୁସିରେ ଗଦଗଦ ହୋଇ ଉଠିଛନ୍ତି। କେହି ଛାତ୍ରଛାତ୍ରୀ କହୁଛନ୍ତି ମୁଁ ମହା କୁମ୍ଭମେଳା ଯାଉଛି ତ ପୁଣି ଆଉ କେହି ଛାତ୍ରଛାତ୍ରୀ କହୁଛନ୍ତି ମୁଁ ଆମ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଦେଖା କରିବା ପାଇଁ ନୂଆଦିଲ୍ଲୀ ଯାଉଛି ବୋଲି କହୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିଶ୍ଚିତ ଭାବେ ଏକ ନିଆରା ଅନୁଭୁତି।କୁନି କୁନି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ପଚାରିବାରୁ ଆମ ଜିଲ୍ଲାରେ ଯେବେ ପ୍ରଥମେ ଟ୍ରେନ ଆସିବ ଆମେ ନିଶ୍ଚୟ ଦିଲ୍ଲୀ ଯାଇ ଆମ ରାଷ୍ଟ୍ରପତିଙ୍କୁ ଭେଟିବୁ ବୋଲି କହିଥିଲେ। ଭାରତୀୟ ରେଳବାଇ ଏକ ବିଶାଳ ସଂସ୍ଥା। ମାଲକାନଗିରି ଜିଲ୍ଲା ଉପରେ ଭାରତ ସରକାରଙ୍କ ଦୃଷ୍ଟି ପଡ଼ିଲେ ଆମ ସ୍ବପ୍ନ ନିଶ୍ଚିତ ଭାବେ ସାକାର ହୋଇପାରିବ ବୋଲି ଆଶା ରଖିଛନ୍ତି।

nis-ad
Leave A Reply

Your email address will not be published.