ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଏନେଇ ରବିବାର ବିଜେଡି ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ ଏହି ସୂଚନା ଦେଇଛି ଦଳ ।
ପ୍ରେସ୍ ବର୍ତ୍ତାରେ କୁହାଯାଇଛି ଯେ, ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି ।
ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଦେଖେଇବାକୁ ଚାହୁଁଛି ଯେ, ଯିଏ ସବୁ ଛାଡିକି ଯାଇଛନ୍ତି ସେମାନେ ପୁଣି ଫେରୁଛନ୍ତି । ବିଜେଡିକୁ ରାଜ୍ୟରେ ଧରି ରଖିବା ଏକ କଷ୍ଟକର ବ୍ୟାପାର ହୋଇପଡିଛି । ତେଣୁ ବାଧ୍ୟ ବାଧକତାର ସହ ଏପରି କାର୍ଯ୍ୟ କରିବାକୁ ଦଳ ବାଧ୍ୟ ହେଉଛି । ନିଜେ ପକାଇଥିବା ଛେପକୁ ଢୋକିବା ଯାହା ବିଜେଡି ଏବେ ସେଇ ଅବସ୍ଥାରେ ପହଞ୍ଚିଛି । ପ୍ରଚଣ୍ଡ ଅହଂକାରର ଚରମ ସୀମାରେ ପହଞ୍ଚିଥିଲା ବିଜେଡି, ଯେଉଁ କାରଣରୁ ଆଜି ବିଜେଡିର ପରାଜୟ ଘଟିଛି । ଲୋକଙ୍କର ଆଉ ବିଶ୍ବାସ ଭାଜନ ହୋଇପାରିବନି ଦଳ କି ଆଉ ବିଜେଡିକୁ ଲୋକେ ଗ୍ରହଣ ମଧ୍ୟ କରିବେ ନାହିଁ ବୋଲି ସମୀର ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ୨୦୧୭-୧୮ ଏବଂ ୨୦୧୯-୨୦ ମଧ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ହିତାଧିକାରୀଙ୍କ ଦ୍ୱାରା କୃଷି ଉପକରଣ କ୍ରୟରେ ସବସିଡି ଦେବା ପାଇଁ ଉଦ୍ଦିଷ୍ଟ ୩ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ସୁଧାଂଶୁ ଶେଖର ପରିଡାଙ୍କ ବିରୋଧରେ ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆସିଥିଲା । ଯାହାକୁ ନେଇ ୨୦୨୩ ସେପ୍ଟେମ୍ବର ୨୧ରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ସେ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ମାତ୍ର ୬୮୩ ଖଣ୍ଡ ଭୋଟ ପାଇଥିଲେ । ଆଉ ବିଜେଡି ସୁଧାଂଶୁଙ୍କ ସ୍ଥାନରେ ବିଦ୍ୟାସ୍ମିତା ମହାଳିକଙ୍କୁ ଟିକେଟ୍ ଦେଇଥିଲା ।