ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ରହିଛି ୨୩ର ସେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଉଠିଛି ପ୍ରଶ୍ନ । ଏବେ ଗଣମାଧ୍ୟମରେ ନବ ଦାସଙ୍କ ହତ୍ୟା କାଣ୍ଡ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚାକୁ ନେଇ, ଏବେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ । କାହିଁକି ଗଣମାଧ୍ୟମରେ ଏସବୁ ଚର୍ଚ୍ଚା ଚାଲିଛି? ଏଥିରେ ସତ୍ୟାସତ୍ୟ କ’ଣ? ନେଇ ରିପୋର୍ଟ ମାଗିଛି ମୁଖ୍ୟାଳୟ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ।
ତେବେ ଦିନକୁ ଦିନକୁ ବେଶୀ ଘନେଇବାରେ ଲାଗିଛି ନବ ଦାସ ହତ୍ୟା ରହସ୍ୟ । ପ୍ରଥମେ ଗୋପାଳ ହତ୍ୟାକାରୀ ନା ଆଉ କିଏ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ ହତ୍ୟା ଦିନ ସେ ହଳଦିଆ ସାର୍ଟ ପିନ୍ଧିଥିଲେ, କିନ୍ତୁ ତାହା ରିପୋର୍ଟରେ ଧଳା ହେଲା କିପରି ? କେମିତି ସାର୍ଟର ରଙ୍ଗ ବଦଳିଲା । ତା ଉପରେ ପୁଣି ମୃତ୍ୟୁ ସମୟରେ ନବ ଦାସ ପିନ୍ଧିଥିବା ସାର୍ଟର ପତ୍ତା ନାହିଁ । ପୋଲିସ୍ ପକ୍ଷରୁ କୁହାଯାଇଛି, ଯେ କୋଭିଡ କଟକଣା ପାଇଁ ନବଙ୍କ ସାର୍ଟ ଜାଳି ଦିଆଯାଇଛି, ଯେତେବେଳେକି ୨୦୨୩ରେ କୋଭିଡ ପ୍ରୋଟକଲ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହୋଇଯାଇଥିଲା । ଯାକହା ଏବେ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । କ’ଣ ସେତେବେଳେ ବାଟବଣା କରିଥିଲା କି କ୍ରାଇମବ୍ରାଞ୍ଚ, ତାକୁ ନେଇ ମୁଖ୍ୟ ସାକ୍ଷୀ ଏବେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ସେପଟେ ନବ ଦାସ ହତ୍ୟା ମାମଲାର ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ଟିମ୍ର ନେତୃତ୍ବ ନେଉଥିବା ଡିଏସ୍ପି ରମେଶ ଚନ୍ଦ୍ର ଦୋରାଙ୍କ ନାଁରେ ସେତେବେଳେ ମିଥ୍ୟା ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗ ଉଠିଥିଲା । ୧୪ ବର୍ଷ ପୂର୍ବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଦୋରା ଆଦିବାସୀ ନହୋଇ ମିଛ ପ୍ରମାଣପତ୍ର ବଳରେ ଆଦିବାସୀ କୋଟାରେ ଚାକିରି କରୁଥିବା ଦର୍ଶାଇଥିଲା । ହେଲେ ସେଇ ମିଛ ଅଧିକାରୀଙ୍କୁ କିପରି ନବ ଦାସଙ୍କ ହତ୍ୟା କାଣ୍ଡର ତଦନ୍ତ ଦିଆଯାଇଥିଲା, ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ଯାହା ନବ ଦାସଙ୍କ ହତ୍ୟା କାଣ୍ଡରେ ଦିନକୁ ଦିନ ଦ୍ବନ୍ଦ୍ବ ବଢାଇବାରେ ଲାଗିଛି ।