ୱାଶିଂଟନ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହିତ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତାର ସବିଶେଷ ସୂଚନା ମିଳି ନାହିଁ। ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ଜିନ୍ପିଙ୍ଗ ତାଙ୍କର ପ୍ରତିନିଧି ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ପଠାଇବେ ବୋଲି ଜଣାଯାଇଛି। ଆମେରିକା ଓ ଚୀନ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଟ୍ରମ୍ପ-ଜିନ୍ପିଙ୍ଗଙ୍କ ବାର୍ତ୍ତାଳପ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ପ୍ରଥମ ପାଳି ଶାସନ କାଳରେ ଚୀନ ସହିତ ଆମେରିକାର ବାଣିଜ୍ୟିକ ଲଢେଇ (ଟ୍ରେଡ୍ ୱାର) ଲାଗି ରହିଥିଲା।
ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟ୍ରମ୍ପ ବହୁମାତ୍ରାରେ ଆମଦାନି ଶୁଳ୍କ ଲାଗୁ କରିଥିଲେ। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଟ୍ରମ୍ପଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ବିଶ୍ବର ମାନ୍ୟଗଣ୍ୟ ନେତା ଉପସ୍ଥିତ ରହିବେ।