ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଘୋଷଣା କଲା ସଂକଳ୍ପ ପତ୍ର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି।

ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ। ଦିଲ୍ଲୀରେ ବିଜେପି ସରକାର ଗଠନ କଲେ, ପ୍ରଥମ କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ମରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା। ସୂଚନାଯୋଗ୍ୟ, ଆପ୍ ପ୍ରତି ମାସରେ ମହିଳାଙ୍କୁ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ‘ପ୍ୟାରୀ ଦିଦି ଯୋଜନା’ରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି।

ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦେବାକୁ ଦଳ ଘୋଷଣା କରିଛି। ଏହା ସହିତ ସେମାନଙ୍କୁ ୬ଟି ପୁଷ୍ଟିକର କିଟ୍‌ ଦିଆଯିବ। କେବଳ ଏତିକି ନୁହେଁ, ପିଏମ୍ ମାତୃତ୍ୱ ବନ୍ଦନ ଯୋଜନାରେ ମହିଳାମାନଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ପାଇଁ ୫୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ପାଇଁ ୬୦୦୦ ଟଙ୍କା ଦେବାକୁ ଦଳ କରିଛି ଘୋଷଣା।

ଦିଲ୍ଲୀର ଗରିବ ମହିଳାଙ୍କୁ ୫୦୦ ଟଙ୍କା ସବ୍‌ସିଡିରେ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ହୋଲି ଓ ଦୀପାବଳି ଅବସରରେ ସେମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଏଲ୍‌ପିଜି ସିଲିଣ୍ଡର ଦିଆଯିବ ବୋଲି ବିଜେପି ତା’ର ସଂକଳ୍ପ ପତ୍ରରେ ଘୋଷଣା କରିଛି।

ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦିଲ୍ଲୀର ଆପ୍ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି। ତା’ଠାରୁ ଭଲ ଯୋଜନା ସେମାନେ କାର୍ଯ୍ୟକାରୀ କରୁଥିବା ଦର୍ଶାଇ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି।

ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ସହିତ ବରିଷ୍ଠ ନାଗରିକମାନଙ୍କ (୭୦ ବର୍ଷରୁ ଅଧିକ) ପାଇଁ ସେଥିରେ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛି। ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେଉଥିବା ବେଳେ ଦିଲ୍ଲୀରେ ବିଜେପି ସରକାର ଗଠନ କଲେ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇବେ।

ବିଜେପି ବରିଷ୍ଠ ନାଗରିକମାନଙ୍କ ପାଇଁ ପେନ୍‌ସନ ଯୋଜନା ମଧ୍ୟ ଘୋଷଣା କରିଛି। ଏଥିରେ ୬୦-୭୦ ବୟସ ବର୍ଗର ଲୋକେ ମାସକୁ ୨୦୦୦ରୁ ୨୫୦୦ ଟଙ୍କା ପେନ୍‌ସନ ପାଇବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍‌ସନ୍ ପ୍ରଦାନ କରାଯିବ। ସେହିପରି ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଦିଆଯାଉଥିବା ସହାୟତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଦଳ ଘୋଷଣା କରିଛି।

ଦିଲ୍ଲୀର ବସ୍ତି ଅଞ୍ଚଳରେ ଅଟଳ କ୍ୟାଣ୍ଟିନ ଖୋଲାଯିବ। ଏଥିରେ ମାତ୍ର ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।

ଦଳର ସଂକଳ୍ପ ପତ୍ର ଘୋଷଣା କରିବା ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଯେ ୨୦୨୧ ମସିହାରେ ଆପ୍ ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଥିଲା। କିନ୍ତୁ ଦଳ ପଞ୍ଜାବ କିମ୍ବା ଦିଲ୍ଲୀରେ ତା’ର ଏହି ପ୍ରତିଶ୍ରୁତି ପାଳନ କରୁନାହିଁ।

ଆପ୍‌ର ମୋହଲ୍ଲା କ୍ଲିନିକ୍‌ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ଶ୍ରୀ ନଡ୍ଡା। ସେ କହିଛନ୍ତି ଯେ ଆପ୍‌ର ଏହି ମୋହଲ୍ଲା କ୍ଲିନିକ୍‌ଗୁଡ଼ିକ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଏଥିରେ ୩୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ, ଏହି ସବୁ ଅଭିଯୋଗର ତଦନ୍ତ କରାଯିବ ଓ ଯେଉଁମାନେ ଏଥିରେ ସଂପୃକ୍ତ ଥିବେ, ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ।

ଏହା ସହିତ ବର୍ତ୍ତମାନ ଦିଲ୍ଲୀରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ବିଜେପି ସରକାର ଆସିଲେ ମଧ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜେ.ପି ନଡ୍ଡା। ବିଜେପି କ୍ଷମତାକୁ ଆସିଲେ ଚଳିତ ଯୋଜନାଗୁଡ଼ିକୁ ବନ୍ଦ କରି ଦେବ ବୋଲି ଆପ୍ ନେତାମାନେ ଲୋକଙ୍କୁ କହୁଥିବା ବେଳେ ଶ୍ରୀ ନଡ୍ଡା ଏହି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସଂକଳ୍ପ ପତ୍ର ଘୋଷଣା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

nis-ad
Leave A Reply

Your email address will not be published.