ଶ୍ରୀନଅରରେ ସରିଲା ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି। ସୋମବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ବୁଧବାର ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀନଅରରେ ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ବିଧିବିଧାନ ଅନୁସାରେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ନୀତି ପରେ ଗଜପତିଙ୍କ ଅଭିଷେକ ହୋଇଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ହୋଇଥାଏ ଏହି ନୀତି। 

ପରମ୍ପରା ଅନୁଯାୟୀ, ବରୁଣ ପୂଜା, ବର୍ଧନ ପୂଜା, କଳସ ପୂଜା, ରାମାଭିଷେକ ପଟି ପୂଜା ପରେ ଅଭିମନ୍ତ୍ରିତ କରାଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଭିଷେକ କରାଯାଇଛି। ଏହା ପରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହୋଇଛନ୍ତି। ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରଂପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିଷିକ୍ତ ଜଳ ଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। 

ଉତ୍କଳୀୟ ଗଜପତି ପରମ୍ପରାର ଅଭିଷେକ ଉତ୍ସବରେ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରରେ ଉପସ୍ଥିତ ରହି ଗଜପତିଙ୍କୁ ଭେଟି ଆକାରରେ ପଇତା, ଗୁଆ ନଡ଼ିଆ ଆଦି ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ। ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରନ୍ତି। 

nis-ad
Leave A Reply

Your email address will not be published.