ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ମକର ନୀତିକାନ୍ତି ପାଇଁ ଏବେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିଛି । ଆସନ୍ତା ୧୭ ତାରିଖରୁ ପୁଣି ମରାମତି କାମ ଆରମ୍ଭ ହୋଇଯିବ ।  ମରାମତି ପାଇଁ ଏଏସଆଇ ୩ ମାସ ସମୟ ମାଗିଥିଲା  । ହେଲେ ଯଥେଷ୍ଟ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଆଇନ୍ ମନ୍ତ୍ରୀ । ଏଥିସହିତ ରତ୍ନଭଣ୍ଡାର ମରାମତି ପରେ ଗଣତି ମଣତି ଆରମ୍ଭ ହେବ ବୋଲି କହିଛନ୍ତି ।

ତେବେ ଗତ ବର୍ଷ ଡିସେମ୍ବର ୧୭ରୁ ଏଏସଆଇ ଦ୍ବାରା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡିପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା। ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି। ଏହାପରେ ପଥର ମରାମତି କାର୍ଯ୍ୟ ଆରମ୍ଭ ହୋଇ ଆବଶ୍ୟକ ସ୍ଥଳେ ଫାଟ ଥିବା ପଥରଗୁଡ଼ିକର ପରିବର୍ତ୍ତନ ହୋଇଥାନ୍ତା । ହେଲେ ଗତ ଡ଼ିସେମ୍ବର ୨୫ ବଡ଼ ଦିନ ଏବଂ ନୂଆବର୍ଷ ପାଇଁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ପରେ ଏହାକୁ ଜାନୁଆରୀ ୩ରୁ ପୁନଃ ଆରମ୍ଭ କରାଯାଇଥିଳା । ଏହାପରେ ଏଏସ୍‌ଆଇ ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍‌ ଭାରାବନ୍ଧା କାମ ଶେଷ କରିଯାଇଥିଲା । ହେଲେ ଏହାପରେ ମହାପ୍ରଭୁଙ୍କ ବିଭିନ୍ନ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ମରାମତି କାର୍ଯ୍ୟକୁ ପୁଣି ସ୍ଥଗିତ କରାଯାଇଛି । ଯାହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବାକୁ ଯାଉଛି ।

ତେବେ କହିରଖୁଛୁ, ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ପ୍ରାୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମରାମତି କାମ କରାଯିବା ନେଇ ମାର୍ଗଦର୍ଶିକା ରହିଛି । ଯାହାକୁ ଦୃଷ୍ଟି ରଖି ତାର କାମ ଚଳାଇଛି ଏଏସଆଇ । ପୂର୍ବରୁ ଜାନୁଆରୀ ଶେଷ ସୁଦ୍ଧା ମରାମତି ଏବଂ ଗଣତି ମଣତି କାର୍ଯ୍ୟ ସରିବା ନେଇ କୁହାଯାଇଥିବା ବେଳେ ବାରମ୍ବାର ମରାମତି କାରକ୍ଯ୍ୟ ସ୍ଥଗିତ ରହିବାରୁ ଏହା ଆହୁରି ବିଳମ୍ବ ହୋଇଛି ।

nis-ad
Leave A Reply

Your email address will not be published.