ଭୁବନେଶ୍ୱର : କୁମ୍ଭମେଳା ଉପଲକ୍ଷେ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁରରୁ ଅଯୋଧ୍ୟା ତଥା ପ୍ରୟାଗରାଜକୁ ବସ୍ ଚଳାଚଳ ଆରମ୍ଭ ହେବ । ଆଜିଠୁ ଓଡ଼ିଶାରୁ ଯିବ ୮ଟି ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିବ ବସ୍ ।
ବ୍ରହ୍ମପୁର ଓଏସଆରଟିସି କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ଏହି ବସରେ ୪୨ ଜଣ ଯାତ୍ରୀ ବସି ଅଯୋଧ୍ୟାକୁ ଯାଇପାରିବେ । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍ଆରଟିସି ।
ଅନ୍ୟପଟେ ଆଜି ସମ୍ବଲପୁରରୁ ଅଯୋଧ୍ଯା ଗଡିଛି ବସ୍ । ଏଠାରେ ଡବଲ ଡେକର ବସ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝି । ଅଇଁଠାପାଲି ବସ ଟର୍ମିନାଲରୁ ଗଡିଛି ବସ୍ । ବିଧାୟକ, ଜ଼ିଲ୍ଲାପାଳ ଉପସ୍ଥିତ ରହି ଶୁଭାରମ୍ଭ କରିଛନ୍ତି । ଓଏସଆରଟିସି ଅଧିନରେ ଏହି ସେବା କାର୍ଯ୍ଯ କରିବ। ସମ୍ବଲପୁରରୁ ଅଯୋଧ୍ଯାକୁ ଯାତ୍ରା ପାଇଁ ୬ହଜାର ୧୭୬ ଟଂକା ବସ୍ ଟିକେଟ ଦର ଧାର୍ଯ୍ଯ ହୋଇଛି । ପ୍ରଥମ ଦିନରେ ସମ୍ବଲପୁରରୁ କିଛି ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏହି ବସ ସେବା ଏବେ ଏକ ମାସ ଧରି ଚାଲିବ । ସମ୍ବଲପୁରରୁ ପ୍ରୟାଗରାଜ ମଧ୍ଯରେ ବିଭିନ୍ନ ଷ୍ଟପେଜ କରାଯାଇଛି । ସେଠାରେ ଯାତ୍ରୀ ମାନଙ୍କ ପାଇଁ ଅନେକ ସୁବିଧା କରାଯାଇଛି । ଯଦି ଯାତ୍ରୀ ସଂଖ୍ୟା ବଢେ ତାହେଲେ ସମ୍ବଲପୁର ରୁ ଏହି ବସ ପ୍ରତିଦିନ ଚଳାଚଳ କରିବ ।
ଆସନ୍ତାକାଲିଠୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା । ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଯୋଗଦେଲେଣି । ବିଶେଷ କରି ନାଗା ସାଧୁମାନେ ପ୍ରୟାଗରାଜ ଆସିବା ଆରମ୍ଭ କଲେଣି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି ।