ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ଯ୍ୟଟନ ଟ୍ରେନ୍, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି।

ସୂଚନା ଅନୁଯାୟୀ, ଏହି ଟ୍ରେନରେ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟ ଯାତ୍ରା କରିପାରିବେ। ସେମାନେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ ଯାଇ ଦର୍ଶନ କରିପାରିବେ। ଏହି ଯାତ୍ରାର ସମୟ ଅବଧି ୩ ସପ୍ତାହ ରଖାଯାଇଛି । ଏହି ଏକ୍ସପ୍ରେସରେ ପ୍ରବାସୀ ଭାରତୀୟମାନେ ଅଯୋଧ୍ୟା, ପାଟଣା, ଗୟା, ବାରାଣସୀ, ମହାବଳୀପୁରମ, ରାମେଶ୍ୱରମ, ମଦୁରାଇ, କୋଚି, ଗୋଆ, ଏକତା ନଗର(କେଭାଡିଆ), ଆଜମେର, ପୁଷ୍କର ଏବଂ ଆଗ୍ରା ଆଦି ଦର୍ଶନୀୟ  ସ୍ଥାନ ପରିଦର୍ଶନ କରିପାରିବେ। ଏହି ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬ ରହିଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

ଉଲ୍ଲେଖ ଯୋଗ୍ୟ, ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ବୁଧବାର ଉଦ୍ଘାଟିତ ହୋଇଛି। ଦ୍ଵିତୀୟ ଦିନରେ ଏହି ସମ୍ମିଳନୀକୁ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମୟରେ ସମସ୍ତ ପ୍ରବାସୀଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଥିବା ଜାଣିବାକୁ ମିଳିଛି।

nis-ad
Leave A Reply

Your email address will not be published.