ଝାରସୁଗୁଡା : ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି । ଗତ ୨ ତାରିଖରେ ଝାରସୁଗୁଡା ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା । କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍ ଟି ଅତର୍କିତ ଭାବେ ଖସିପଡିଥିଲା । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଚମକି ପଡ଼ିଥିଲେ । ଯାହାର ଭିଡିଓ ଆଜି ଭାଇରାଲ୍ ହେବାରେ ଲାଗିଛି ।
ତେବେ ପିଏସଓ ଓ ଉପସ୍ଥିତ ପୋଲିସ୍ ଡ୍ରୋନକୁ ପାଦରେ ଏଡ଼ାଇ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ସ୍ବାଭାବିକ ଢଙ୍ଗରେ ଚାଲିଥିଲା । କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଇଥିବା ଜଣାପଡ଼ିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।