ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ, ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍‌ ବସ୍‌

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍‌ ବସ୍‌ । ବିଳମ୍ବିତ ରାତିରେ ଭୁବନେଶ୍ବର ଗାଡ଼କଣ ଡିପୋରେ ପହଞ୍ଚିଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙକ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବା ପରେ ସେଠାରୁ ଚାର୍ଜ ହୋଇ ଭୁବନେଶ୍ବର ଆସିଛି । ଏହି ବସ୍‌ର ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଏହା ସହିତ ବସ୍‌ରେ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ମଧ୍ୟ ରହିଛି।

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ରେ ଦୁଇଟି ବସ୍‌, ୩୧ ରେ ଗୋଟିଏ ଓ ଜାନୁଆରି ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରା ୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୪୫ କିଲୋମିଟର ରହିବ । ପ୍ରଥମେ ପ୍ରବାସୀଙ୍କୁ ବୁଲାଇବା ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ ।

ଅନ୍ୟପଟେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ । ଜନତା ମଇଦାନରେ ମହାସମାରୋହରେ ପାଳନ ହେବାକୁ ଯାଥିବା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମୃଦ୍ଧ ପରମ୍ପରା ଓ ଐତିହ୍ୟ ପାଇଁ ଭାରତୀୟ ସଂସ୍କୃତି ବିଶ୍ୱରେ ପ୍ରସିଦ୍ଧ । ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର । ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ଏଥିପାଇଁ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।

nis-ad
Leave A Reply

Your email address will not be published.