ଭୁବନେଶ୍ଵର: ଦିଲ୍ଲୀ, ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜାନୁଆରୀ ୩ ତାରିଖରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫ ଅନୁଷ୍ଠିତ ହେବ। ଭୁବନେଶ୍ବର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଶିଷ୍ଟ କଳାକାରମାନେ ଯୋଗ ଦେବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅକ୍ଷୟ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, ପୂର୍ବତନ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, କଳିଙ୍ଗ ଭାରତୀ ଫାଉଣ୍ଡେସନର ଉପଦେଷ୍ଟା ଅଭୟ କୁମାର ନାୟକ, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ର ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକ ଯୋଗଦେବେ। ଚଳିତ ବର୍ଷ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ର ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକଙ୍କୁ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନ ୨୦୨୫ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। କଳା ଓ ସଂସ୍କୃତି କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଉତ୍ସବରେ ଓଡ଼ିଶା, ନୂଆଦିଲ୍ଲୀ ଓ ହାଇଦ୍ରାବାଦର ବିଶିଷ୍ଟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ଅଭୟ କୁମାର ନାୟକ, ସମାଜସେବୀ ଅଦ୍ଵୈତ ଚରଣ ପାତ୍ର ଏବଂ ସ୍ତମ୍ଭକାର ସୌମେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.