ଭୁବନେଶ୍ୱର: ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକମାନେ ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ ସମୟରେ ଏସ୍ଏସ୍ବି ଅଧ୍ୟାପକଙ୍କୁ ଟାର୍ଗେଟ କରି ଦେଇଥିବା ବିଭିନ୍ନ ଟିପ୍ପଣୀକୁ ରାଜ୍ୟ ଏସ୍ଏସ୍ବି ଅଧ୍ୟାପକ ସଂଘ (ଓସଲା) ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।
ପ୍ରକାଶଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ବିଭିନ୍ନ ଦାବି ନେଇ ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ସେମାନେ କହିଥିଲେ ଯେ ଏସ୍ଏସ୍ବି ଦ୍ୱାରା ଚୟନ ହୋଇଥିବା ଅଧ୍ୟାପକମାନେ ବୟସ ଏବଂ ଅଭିଜ୍ଞତାରେ ଆମଠାରୁ ବହୁ କମ୍ ଥିଲେ ମଧ୍ୟ ସେମାନଙ୍କୁ ଆମ ଉପରେ ରଖାଯାଇଛି। ସେମାନେ ଆମ ଛାତ୍ର ଥିଲେ, ଆମ ଆଗରେ ହାପ ପ୍ୟାଣ୍ଟ ପିନ୍ଧି ବୁଲୁଥିଲେ, ଏସ୍ଏସ୍ବି ଦ୍ୱାରା ଚୟନ ହୋଇ ଏବେ ଆମ ସହ ଅଧ୍ୟାପକ ଭାବେ କାର୍ୟ୍ୟ କରୁଛନ୍ତି ଓ ଆମଠାରୁ ବରିଷ୍ଠତା ପାଇବାକୁ ଯାଉଛନ୍ତି । ଚାକିରି ସର୍ତ୍ତାବଳୀ ଦୃଷ୍ଟିରୁ ଏସ୍ଏସ୍ବି ଓ ବ୍ଲକ୍ଗ୍ରାଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ସେମାନେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ ଏସ୍ଏସ୍ବି ଅଧ୍ୟାପକଙ୍କୁ ଟାର୍ଗେଟ କରି ‘ବାପ ବଡ ନା ପୁଅ ବଡ ସରକାର ତୁମେ ଜବାବ ଦିଅ’, ‘ଛାତ୍ର ଯଦି ଏବେ ବରିଷ୍ଠ ହୋଇବେ ଗୁରୁ କ’ଣ ତାଙ୍କୁ ସଲାମ ଠୁଙ୍କିବେ’ ଆଦି ପ୍ଳାକାର୍ଡ ପ୍ରଦର୍ଶନ କରିଥିଲେ। ତେବେ ଓସଲା ସଭାପତି ସରୋଜକାନ୍ତ ନାୟକ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକଙ୍କ ବିଭିନ୍ନ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଅଧୀନ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ଦ୍ୱାରା ପରିଚାଳିତ ଏକ ସ୍ୱଚ୍ଛ, ମୁକ୍ତ ଏବଂ କଠିନ ଯୋଗ୍ୟତା ଆଧାରିତ ପ୍ରଣାଳୀରେ ଚୟନ ହୋଇ ସେମାନେ ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ଡିଗ୍ରୀ କଲେଜରେ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି । ଏସ୍ଏସ୍ବି ଦ୍ୱାରା ଚୟନ ହୋଇଥିବା ଅଧ୍ୟାପକଙ୍କ ମଧ୍ୟରୁ ଅନେକ ପିଏଚଡି, ଏମଫିଲ ଡିଗ୍ରୀ ଧାରୀ ହୋଇଥିବାବେଳେ ନେଟ୍ ଏବଂ ଜେଆରଏଫ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ତେଣୁ ଏସ୍ଏସ୍ବି ଅଧ୍ୟାପକଙ୍କୁ ଅନଭିଜ୍ଞ କହିବା ଓ ନିଜକୁ ତୁଳନା କରିବା ଆମ ପ୍ରତି ଥିବା ସେମାନଙ୍କ ଇର୍ଷା ଭାବକୁ ପ୍ରଦଶିର୍ତ କରୁଛି। ଛାତ୍ରର ସଫଳତାରେ ଖୁସି ହେବା ବଦଳରେ ସେମାନେ ତାଙ୍କ ବିରୋଧରେ ଟିପ୍ପଣୀ ଦେଉଛନ୍ତି। ଯେଉଁମାନେ ଆଜି ଏସଏସବି ପରୀକ୍ଷାକୁ ସାମ୍ମନ ଦେଉନାହାନ୍ତି, ସେମାନେ ଦିନେ ବୟସ ସୀମାରେ କୋହଳ କରିବା ପାଇଁ ଦାବି କରିଥିଲେ। ସେମାନଙ୍କ ନିମନ୍ତେ ୨୦୧୬ରେ ବୟସ ସୀମାକୁ ବୃଦ୍ଧି କରାଯାଇଥିଲା। ଏସ୍ଏସ୍ବି ଅଧ୍ୟାପକମାନେ ଗ୍ରେଡ୍ ପେ’ ସଂଶୋଧନ ପାଇଁ ଜାରି ରଖିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକମାନେ ଏପରି କରୁଛନ୍ତି। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ବର୍ତ୍ତମାନର ସଂଶୋଧିତ ପାଠ୍ୟ-ଖସଡ଼ାକୁ କେବେ ମଧ୍ୟ ଆପଣେଇ ପାରିବେ ନାହିଁ। ସେମାନେ କେବଳ ପୁରୁଣା ପାଠ୍ୟ-ଖସଡ଼ା ସହ ଜଡ଼ିତ ଥିଲେ। ହେଲେ ବର୍ତ୍ତମାନର ଏସଏସବି ଦ୍ଵାରା ଚୟନ ହୋଇଥିବା ଯୁବପିଢି ଅଧ୍ୟାପକ-ଅଧ୍ୟାପିକା ନୂତନ ପାଠ୍ୟ-ଖସଡ଼ା ସହିତ ଖୁବ୍ ଭଲଭାବରେ ଜଡ଼ିତ। ଆଶା ଓ ଅନୁରୋଧ କରୁ କି ବର୍ତ୍ତମାନର ଶିକ୍ଷା ପଦ୍ଧତି/ବ୍ୟବସ୍ଥାକୁ ଆଖି ଆଗରେ ରଖି ଶିକ୍ଷ୍ୟାର ମର୍ଯ୍ୟାଦା ରକ୍ଷା ନିମନ୍ତେ ସରକାର ନିଶ୍ଚୟ ଉଚିତ୍ ପଦକ୍ଷେପ ନେବେ।
ସୂଚନାଯୋଗ୍ୟ ଯେ, ଗ୍ରେଡ ପେ’ ସଂଶୋଧନ ଦାବିରେ ୨୦୨୩ ସେପ୍ଟେମ୍ବର ୫, ଗୁରୁ ଦିବସଠାରୁ କଳାବ୍ୟାଜ୍ ପରିଧାନ ପୂର୍ବକ ୭ ମାସ କାଳ ଏସ୍ଏସ୍ବି ଅଧ୍ୟାପକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସେ ସମୟର ବିଜେଡି ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ବର୍ତ୍ତମାନର ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆସନ୍ତା ଜାନୁଆରୀ ମାସରେ ସେମାନେ ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.