ନୂଆଦିଲ୍ଲୀ : ଭାରତ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହି କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ଏହାସହ ବିଦେଶୀ ମୁଦ୍ରା ବଢାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଉଦ୍ୟମ ବଢିବା ସହ ବିଦେଶ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଯେଉଁଥି ଲାଗି ବିଦେଶୀ ମୁଦ୍ରା ଆୟ (ଏଫଇଇ) ମଧ୍ୟ ବଢିଛି । ବିଦେଶୀ ମୁଦ୍ରା ଆୟର ଅର୍ଥ ହେଉଛି ଦ୍ରବ୍ୟ ଏବଂ ସେବା ବିକ୍ରି କରି କିମ୍ୱା ମୁଦ୍ରାର ଆଦାନ-ପ୍ରଦାନରେ ଅର୍ଜିତ ମୌଦ୍ରିକ ଲାଭ ।
ପର୍ଯ୍ୟଟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୩ରେ ଭାରତକୁ ପ୍ରାୟ ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏହି ପର୍ଯ୍ୟଟକଙ୍କ ଜରିଆରେ ସରକାରଙ୍କୁ ପ୍ରାୟ ୨.୩୨ ଲକ୍ଷ କୋଟି ଟଙ୍କା ବିଦେଶୀ ମୁଦ୍ରା ମିଳିଛି । ଏହି ଅବଧିରେ ପ୍ରାୟ ଦେଶର ୨୫୦.୯ କୋଟି ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଇଛନ୍ତି ।
ମନ୍ତ୍ରଣାଳୟ ଅନୁସାରେ, ଦେଶରେ ପର୍ଯ୍ୟଟନକୁ ବଢାଇବା ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇଛି । ୨୦୨୪-୨୫ ବଜେଟରେ ବୈଶ୍ୱିକ ସ୍ତରରେ ପ୍ରତିଷ୍ଠିତ ପର୍ଯ୍ୟଟନର ବିଶାକ ପାଇଁ ୨୩ ରାଜ୍ୟକୁ ୪୦ ପରିଯୋଜନା ଅନ୍ତର୍ଗତରେ ୩୨୯୫.୭୬ କୋଟି ଟଙ୍କା ରାଶି ମଞ୍ଜୁର କରାଯାଇଛି । ଦେଶରେ ପ୍ରତିଷ୍ଠିତ ପର୍ଯ୍ୟଟନ କେନ୍ଦ୍ରର ବ୍ୟାପକ ବିକାଶ ଏବଂ ବୈଶ୍ୱିକ ସ୍ତରରେ ଏହାର ବ୍ରାଣ୍ଡିଂ ପାଇଁ ରାଜ୍ୟଗୁଡ଼ିକୁ ୫୦ ବର୍ଷ ପାଇଁ ଦୀର୍ଘକାଳୀନ ସୁଧ ମୁକ୍ତ ଋଣ ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁସାରେ, ସ୍ୱଦେଶ ଦର୍ଶନ ଯୋଜନାରେ ୫୨୮୭.୯୦ କୋଟି ଟଙ୍କାର ୭୬ ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏଥିରୁ ୭୫ ଯୋଜନା ଶେଷ ହୋଇଛି । ଯୋଜନାର ନୂଆ ରୂପ ସ୍ୱଦେଶ ଦର୍ଶନ ୨.୦ ଅନ୍ତର୍ଗତରେ ୭୯୩.୨୦ କୋଟି ଟଙ୍କା ଖର୍ଚ୍ଚରେ ମୋଟ ୩୪ ନୂଆ ପରିଯୋଜନାକୁ ମଞ୍ଜୁର କରାଯାଇଛି । ପ୍ରସାଦ ଯୋଜନାରେ ୧୬୪୯.୯୯ କୋଟି ଟଙ୍କା ଖର୍ଚ୍ଚରେ ୪୮ ପରିଯୋଜନା ମଧ୍ୟରୁ ୨୩ଟି ସମ୍ପୂର୍ଣ୍ଣ ହୋଇଛି ।
Sign in
Sign in
Recover your password.
A password will be e-mailed to you.