ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କହିଲେ- ‘ଆଗାମୀ ଶହେ ବର୍ଷ ଯାଏଁ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରିବ’

ଭୁବନେଶ୍ବର : ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡିର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ.ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ. ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟନାୟକ ଘୋଷଣା କରିଥିଲେ.
ଦଳର ପ୍ରତିଷ୍ଠା ର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କ ରେ ସ୍ମୃତି ଚାରଣ କରି ଶ୍ରୀ ପଟନାୟକ କହିଥିଲେ, ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ।
ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ର ସଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି ।
ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ Over Draft ରେ ଚଳୁଥିବା ରାଜ୍ୟ ଆଜି Budget Surplus State ହୋଇପାରିଛି ।
ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା Sports Capital ର ପରିଚୟ ପାଇଛି ।
ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ଶ୍ରୀ ପଟନାୟକ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

nis-ad
Leave A Reply

Your email address will not be published.