ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ

ଯାଜପୁର : ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ । ଉଚ୍ଛେଦ ସମୟରେ ଯାଜପୁର ତହସିଲର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ବ୍ରହ୍ମବରଦା ଥାନା ଅଧିକାରୀଣୀ ଅଂଶୁମାଳା ଦାସଙ୍କୁ ଆକ୍ରମଣ ହୋଇଥିବା ନେଇ ଆସିଛି ଅଭିଯୋଗ । ଏହି ଆକ୍ରମଣରେ ଦୁଇ ଅଧିକାରୀ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।

ସୂଚନା ମୁତାବକ, ବ୍ରହ୍ମବରଦା ଥାନା ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି ଗ୍ରାମରେ ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏକ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିବା ସମୟରେ ଘଟିଛି ଏହି ଅଘଟଣ । ଉଚ୍ଛେଦ ସମୟରେ କିଛି ମହିଳା କୋର୍ଟରେ ମାମଲା ଥିବା କହି ଯୁକ୍ତି କରିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱରେ ଥିବା ଯାଜପୁରର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ଥାନା ଅଧିକାରିଣୀ ଅଂଶୁମାଳା ଦାସ ବିରୋଧ କରୁଥିବା ମହିଳାଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଉତ୍ୟକ୍ତ ମହିଳା ମାନେ ଉଚ୍ଛେଦକୁ ବିରୋଧ କରିବା ସହ ଠେଲାପେଲା କରିଥିଲେ ।

ଏଥିରେ ଥାନାଅଧିକାରୀଣି ତଳେ ପଡିଯାଇଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଏହା ପରେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଘଟଣା ପରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର । କୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିଲା ଜବରଦଖଲ ଉଚ୍ଛେଦ ପକ୍ରିୟା । ତଥାପି ନାଲି ଆଖି ଦେଖାଇ ଆଇନ୍ କୁ ହାତକୁ ନେଇ ସରକାରୀ ଅଧିକାରୀଙ୍କ ଉପରେ ହେଲା ଆକ୍ରମଣ । ଘଟଣାର ଉଚିତ୍ ତଦନ୍ତ କରାଯାଇ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

nis-ad
Leave A Reply

Your email address will not be published.