ଡ. ବିନୟକୃଷ୍ଣଙ୍କୁ ବିଜ୍ଞାନ ପ୍ରସାର ନିମନ୍ତେ ପିଏଚ୍ଏସ୍‌ଏସ୍‌ ଫାଉଣ୍ଡେସନ ରାଷ୍ଟ୍ରୀୟ ପୁରସ୍କାର

ଫୁଲବାଣୀ : ଲକ୍ଷ୍ନୌର ପ୍ର.ଏଚ.ଏସ. ଶ୍ରୀବାସ୍ତବ ଫାଉଂଡେସନ ୨୧ ଡିସେମ୍ବର ୨୦୨୪ ତାରିଖରେ ଲକ୍ଷ୍ନୌରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ କରିଛନ୍ତି I ଏହାର ଶୀର୍ଷକ ହେଉଛି: ‘ବୈଶ୍ଵିକ ଉତ୍ତାପ ବୃଦ୍ଧିର ଯୁଗରେ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ କରିବାରେ ଗଛଲତାଙ୍କ ଭୂମିକା’ ।  ଏଥିରେ ଦେଶର ବିଭିନ୍ନ ବିଜ୍ଞାନ ଗବେଷଣା ସଂସ୍ଥାର ପ୍ରତିଷ୍ଠିତ ବୈଜ୍ଞାନିକ ମାନେ ଯୋଗ ଦେବେ ।  ମୁଖ୍ୟ ଅତିଥି ରୂପରେ ଭାରତର ‘ଜଳ-ପୁରୁଷ’ ନାମରେ ସ୍ୱୀକୃତ ଡ଼. ରାଜେନ୍ଦ୍ର ସିଂ ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ ଡ଼. ଅଜିତ ଶାସାନି ଓ ଡ଼. ପ୍ରବୋଧ ତ୍ରିବେଦୀ ।  ଦେଶର ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନ ଗବେଷଣା କେନ୍ଦ୍ର (NBRI) ଓ PHSS ଫାଉଂଡେସନଙ୍କ ମିଳିତ ପ୍ରୟାସରେ ଏହି ଗୁରୁତ୍ତ୍ୱପୂର୍ଣ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହେଉଛି I ଓଡ଼ିଶାର ବିଶିଷ୍ଟ ଶିକ୍ଷା ଓ ବିଜ୍ଞାନ ଗବେଷକ ଡ଼. ବିନୟ କୃଷ୍ଣ ପଟ୍ଟନାୟକଙ୍କ ଗତ ତିନି ଦଶକର ବିଜ୍ଞାନ-ଶିକ୍ଷା ପ୍ରସାର କାମର ଆଦର କରି ଏହି ଅବସରରେ
ବିଜ୍ଞାନ ପ୍ରସାର ପାଇଁ ପିଏଚଏସଏସ ଫାଉଣ୍ଡେସନ ରାଷ୍ଟ୍ରୀୟ ପୁରସ୍କାର। ସ୍ମୃତି ଚିହ୍ନ, ସ୍ମୃତି ଫଳକ, ଅଙ୍ଗ ବସ୍ତ୍ର, କୋଡ଼ିଏ ହଜାର ଟଙ୍କା ଅନୁଦାନ ଓ ସଂସ୍ଥାର ଆଜୀବନ ସଦସ୍ୟତା ଉପହାର ଦେଲେ।୧୯୮୬ ମସିହାରେ ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଏଠାରେ ଗବେଷଣା ରତ ଥିବା କାଳରେ ୧୯୮୭ ମସିହାରେ ‘ଭାରତ ଜନ ବିଜ୍ଞାନ ଯାତ୍ରା’ ସାରା ଦେଶରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ଦିଗରେ ଏକ ଦେଶବ୍ୟାପୀ କାର୍ଯ୍ୟକ୍ରମ ରୂପେ ଦେଶର ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କୁ ସାଧାରଣ ଲୋକଙ୍କ ସହ ଯୋଡ଼ି ଚାଲିଥିଲା ।  ସେ କନ୍ଧମାଳରେ ଏହି ଦେଶବ୍ୟାପୀ ବିଜ୍ଞାନ ପ୍ରସାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ଭୁବନେଶ୍ୱରର ଶିକ୍ଷା-ବିଜ୍ଞାନ ପ୍ରୟୋଗଶାଳା ‘ସୃଜନିକା’ଠାରେ ଓଡ଼ିଶାରେ ବିଜ୍ଞାନ ପ୍ରସାର ଓ ବିଜ୍ଞାନ ଶିକ୍ଷାର ବିକାଶ ଦିଗରେ ସେମାନେ ଏହାଠି ରହି ଅନେକ ଉଲ୍ଲେଖନୀୟ ବିଜ୍ଞାନ ଶିକ୍ଷା କାର୍ଯ୍ୟକ୍ରମ ଚଳାଇଥିଲେ ।  ବିଜ୍ଞାନ ତରଙ୍ଗ ପତ୍ରିକାର ପ୍ରସ୍ତୁତି ଓ ପ୍ରସାରଣ ସାଙ୍ଗକୁ ପିଲାଙ୍କ ପାଇଁ ବିଜ୍ଞାନ ଶିବିର, ଶିକ୍ଷକ ବିଜ୍ଞାନ ପ୍ରଶିକ୍ଷଣ, ବିଭିନ୍ନ ବିଷୟରେ ବିଜ୍ଞାନ ଉତ୍ସବ, ଆକାଶ ଓ ପ୍ରକୃତି ଅଧ୍ୟୟନ, ଆଦି ଅନେକ ପରଖ ଏହି କାଳରେ ଓଡ଼ିଶାରେ ବିଜ୍ଞାନର ନୂଆ ଢେଉ ତୋଳିଥିଲା ।  ପର ସମୟରେ ସେ ବିଜ୍ଞାନ ଓ ଗଣିତ ଦିଗ ଶିକ୍ଷା ବିକାଶ ପାଇଁ ଭୁବନେଶ୍ୱରରେ ପ୍ରତିଷ୍ଠିତ ୠତପଲ୍ଲୀ ବିଦ୍ୟାଳୟର ସଂସ୍ଥାପକ ଅଧ୍ୟକ୍ଷ, ଭାରତ ଜ୍ଞାନ ବିଜ୍ଞାନ ସମିତିର ଶିକ୍ଷା-ବିଜ୍ଞାନ ରାଷ୍ଟ୍ରୀୟ ସଂଯୋଜକ, ରାଷ୍ଟ୍ରୀୟ ସୌଖିନ ଖଗୋଳ ବିଜ୍ଞାନୀ ସଂଗଠନ (CIAA)ର ରାଷ୍ଟ୍ରୀୟ ସଚିବ ରହି ଦେଶ ସାରା ଶିକ୍ଷା-ବିଜ୍ଞାନର ପ୍ରସାର ପାଇଁ ଅନେକ ଦେଶବ୍ୟାପୀ କାର୍ଯ୍ୟକ୍ରମସବୁର ସଂଚାଳନ କରିଥିଲେ ।  ନିଜର ଲେଖିବା, ଆଙ୍କିବା, ଗାଇବା, ହାତରେ ପ୍ରୟୋଗ କରି ପ୍ରଦର୍ଶନ କରିବା, ବୁଝାଇବା, ଲେଖା ସମ୍ପାଦନା କରିବା, ତାଲିମ ଦେବା, ବଡ଼ବଡ଼ କାର୍ଯ୍ୟକ୍ରମ ସଂଚାଳନ କରିବା, ବିଭିନ୍ନ ଭାଷାରେ ଟିଭି, ରେଡ଼ିଓ କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜଣାଶୁଣା ଓ ଉଚ୍ଚ ଆଦୃତ ଡ଼. ବିନୟକୃଷ୍ଣ ଜଣେ ଲୋକପ୍ରିୟ ଶିକ୍ଷାବିଜ୍ଞାନୀ ରୂପେ ନିଜକୁ ପ୍ରତିଷ୍ଠିତ କରିଥିଲେ I ୨୦୦୦ ମସିହା ବେଳକୁ ସେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ମୁଖ୍ୟ ପରାମର୍ଶଦାତା ରୂପେ ଦାୟିତ୍ୱ ନେଇଥିଲେ । ଦେଶ ଓ ବାହାରେ ତାଙ୍କର ଗଭୀର ବୈଷୟିକ ସମ୍ପର୍କ ମାଧ୍ୟମରେ ସେ ରାଷ୍ଟ୍ରୀୟ ସ୍ତରରେ ଏନସିଇ ଆରଟି, ନୀପା, ଏନବିଟି, ଏନସିଟିଇ, ଇଗନୁ, ବିଜ୍ଞାନ ଓ ପ୍ରଦ୍ୟୋଗିକି ବିଭାଗ, ଆଦି ସମସ୍ତ ସଂସ୍ଥାରେ ଜଣେ ଦକ୍ଷ ପ୍ରଶିକ୍ଷକ, ପରିଚାଳକ ଓ ମାର୍ଗଦର୍ଶକ ରୂପେ ଆଦର ପାଇଥିଲେ ।  ସବୁ ରାଜ୍ୟରେ ଥିବା ଶିକ୍ଷା ଅନୁଷ୍ଠାନଗୁଡିକ ସହ ନିରନ୍ତର କାମ କରି ଶିକ୍ଷା ପାଠ୍ୟକ୍ରମ, ସ୍କୁଲ-ପୂର୍ବ ଶିକ୍ଷା, ବିଜ୍ଞାନ ଶିକ୍ଷା, ଗଣିତ ଶିକ୍ଷା, ବହୁଭାଷୀ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ ଓ ଗତିବିଧି ଆଧାରିତ ଶିକ୍ଷଣକୁ ବ୍ୟବସ୍ଥିତ ଓ ସମୃଦ୍ଧ କରାଇଥିଲେ I ନିଜର ରଚନାତ୍ମକ ଓ ସକ୍ରିୟ ନେତୃତ୍ୱ ପାଇଁ ସେ କେରଳ, ଆଦି ବିଭିନ୍ନ ରାଜ୍ୟଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ I
୨୦୦୯ ମସିହାରେ ସେ ଜାତିସଂଘର ‘ୟୁନିସେଫ’ ସଂସ୍ଥାର ଶିକ୍ଷା ବିଶେଷଜ୍ଞ ରୂପେ ଦିଲ୍ଲୀ ଅଫିସରେ ଯୋଗ ଦେଇଥିଲେ ଓ ନିଜର ଶିକ୍ଷାବିଜ୍ଞାନ ପ୍ରସାର କାମକୁ ଜାରି ରଖିଥିଲେ।  ପର ସମୟରେ ୟୁନିସେଫର ଝାଡ଼ଖଣ୍ଡ ଅଫିସରେ ସେ କରିଥିବା ବିଭିନ୍ନ ଶିକ୍ଷାବିଜ୍ଞାନ କାର୍ଯ୍ୟକ୍ରମ ସାରା ରାଜ୍ୟରେ ପ୍ରଭାବ ପକାଇଥିଲା I ୨୦୧୮ ବେଳକୁ ଡ଼. ବିନୟକୃଷ୍ଣ ବିଶ୍ୱବ୍ୟାଙ୍କର ବରିଷ୍ଠ ଶିକ୍ଷା ପରାମର୍ଶଦାତା ଓ ପର ସମୟରେ ଟିମ ଲିଡର ଭାବରେ ବିଭିନ୍ନ ରାଜ୍ୟରେ ରାଜ୍ୟବ୍ୟାପୀ ଶିକ୍ଷା, ସାମାଜିକ ସୁରକ୍ଷା, ଶିକ୍ଷକ ପ୍ରଶିକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଆଦି କାର୍ଯ୍ୟକ୍ରମ ଚଳାଇଥିଲେ । 
ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକି ବିଭାଗର ବରିଷ୍ଠ ସାଧନ ବିଶେଷଜ୍ଞ ରୂପେ ସେ ଗତ ତିନି ଦଶକ ମଧ୍ୟରେ ଭାରତର ସବୁ ରାଜ୍ୟରେ ବିଜ୍ଞାନ ମେଳା, ଆକାଶ ଦର୍ଶନ କାର୍ଯ୍ୟକ୍ରମ, ପ୍ରକୃତି ଅଧ୍ୟୟନ ଶିବିର, କଣ୍ଢେଇ ମାଧ୍ୟମରେ ବିଜ୍ଞାନ ପ୍ରସାର, କାଗଜମୋଡ଼ି ଗଣିତ ଓ ବିଜ୍ଞାନ ଶିକ୍ଷା, ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ, ବିଜ୍ଞାନ ଲେଖାଏଁ ଓ ସମ୍ପାଦନ, ଟେଲିସ୍କୋପ ତିଆରି, ଆଦି ଅନେକ କାର୍ଯ୍ୟଶାଳା ପରିଚାଳନା କରିଛନ୍ତି I ପ୍ରତ୍ୟେକ ରାଜ୍ୟରେ ଶିକ୍ଷା ପାଠ୍ୟକ୍ରମ ତିଆରି, ପାଠ୍ୟପୁସ୍ତକ ତିଆରି, ବିଜ୍ଞାନ ଓ ଗଣିତ ପୁସ୍ତକ ତିଆରି, ଆଦିରେ ସେ ସକ୍ରିୟ ଭୂମିକା ନିଭାଇଛନ୍ତି I ସେ ଦେଶର ପ୍ରଖ୍ୟାତ ବୈଜ୍ଞାନିକ ପ୍ର. ଯଶପାଳ, ପ୍ର. ଜୟନ୍ତ ନାରଲିକର, ପ୍ର. କସ୍ତୁରୀରଂଗନ, ଡ଼. ଏମ. ପି. ପରମେଶ୍ୱରନ, ପ୍ରଖ୍ୟାତ ଗଣିତଜ୍ଞ ପ୍ର. ମଞ୍ଜୁଳ ଭାର୍ଗବ, ଆଦିଙ୍କ ସହଯୋଗୀ ରୂପେ ଲମ୍ବା ସମୟ ଧରି କାର୍ଯ୍ୟ କରିଛନ୍ତି I ସେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଆଠଟି ପତ୍ରିକାର ସମ୍ପାଦନା କରିଛନ୍ତି I ପ୍ରାୟ ଅଢେଇ ଶହ ପୁସ୍ତକର ଅନୁବାଦ ଓ ରଚନା କରିଛନ୍ତି I ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ନଅଟି ପୁରସ୍କାର ଗ୍ରହଣ କରିଛନ୍ତି I ନିଜ କିଶୋର ଅବସ୍ଥାରୁ ସେ ଶିକ୍ଷା, ବିଜ୍ଞାନ, ମାନବିକତା ଓ ଶାନ୍ତିପୂର୍ଣ ବିକାଶ ସମ୍ପର୍କରେ ପ୍ରାୟ ଅଢେଇ ହଜାର ଗୀତ ଲେଖିଛନ୍ତି ଓ ସ୍ୱର ଦେଇ ଗାଇ ଚାଲିଛନ୍ତି I
ବର୍ତ୍ତମାନ ସେ ରାଷ୍ଟ୍ରୀୟ ଶିକ୍ଷା ନୀତି, ୨୦୨୦ ଆଧାରରେ ନୂଆ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ବନାଇବାରେ କାର୍ଯ୍ୟରତ ଅଛନ୍ତିI ଭାରତ ସରକାରଙ୍କ ରାଷ୍ଟ୍ରୀୟ ସିଲାବସ ଓ ପାଠ୍ୟପୁସ୍ତକ କମିଟିର କାର୍ଯ୍ୟାଳୟରେ ସେ ମୁଖ୍ୟ ପରାମର୍ଶଦାତା ରୂପେ ୩ ବର୍ଷରୁ ୧୮ ବର୍ଷର ପିଲାଙ୍କ ପାଇଁ ସବୁ ଶ୍ରେଣୀର ସବୁ ବିଷୟରେ ବହି ତିଆରି କାର୍ଯ୍ୟର ସଂଯୋଜନା କରୁଛନ୍ତି। 

nis-ad
Leave A Reply

Your email address will not be published.