ମାଲକାନଗିରି : ମାଲକାନଗିରି ସହର ତଥା ଏହି ଜିଲ୍ଲା ର ସର୍ବପୁରାତନ ଏବଂ ବୃହତ୍ତମ ଇଂଲିଶ ମିଡିୟମ ସ୍କୁଲ, ଆଇ ଏମ୍ ଏସ ଟି, ନର୍ସରୀ ଏବଂ ହାଇସ୍କୁଲର ୪୯ ତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୭୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରାୟ ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ୭୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏହି ସମାରୋହରେ ମାଲକାନଗିରି ଜିଲ୍ଲାର ଉପ- ଜିଲ୍ଲାପାଳ ଶ୍ରୀ ଦୁର୍ଯୋଧନ ଭୋଇ ମୁଖ୍ୟ ଅତିଥି ଏବଂ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏସ,ପି )ଶ୍ରୀ ତପନ ନାରାୟଣ ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପାଠ ପ୍ରତି ଅଧିକ ଧ୍ୟାନ ଦେବା,ଉତ୍ତମ ଚରିତ୍ର ଗଠନ ପାଇଁ ଯତ୍ନବାନ ହେବା,ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦର୍ଶିନ କରିବା ସହିତ, ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ଦେଶକୁ ଉନ୍ନତି ପଥରେ ଆଗେଇ ନେବାପାଇଁ ଉଦ୍ବୋଧନ ଦେଇଥିଲେ। ଶ୍ରୀ ଭୋଇ ଗଳ୍ପ ମାଧ୍ୟମରେ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଏବଂ ସେମାନଙ୍କ ସଫଳତା ପଛରେ ଥିବା କାହାଣୀ ଗୁଡ଼ିକର ଉଦାହରଣ ଦେଇ, ସେମାନଙ୍କ ଜୀବନୀ ଠାରୁ ଶିକ୍ଷା ଲାଭ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରକାର ଆଧୁନିକ ପାଠ୍ୟ ସରଞ୍ଜାମ ରେ ସଜ୍ଜିତ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ବିଶିଷ୍ଟ ଏହି ବିଦ୍ୟାଳୟ, ଦୀର୍ଘ ୪୯ ବର୍ଷ ଧରି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଏବଂ ଗୁଣାତ୍ମକ ଶିକ୍ଷାଦାନ କରି ଆସୁଛି । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରୁ ଶିକ୍ଷା ଲାଭ କରି,ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇ, ଓଡ଼ିଶା ତଥା ଦେଶର ନାଁ ଉଜ୍ଜ୍ୱଳ କରି ଆସୁଥିବାରୁ ଶ୍ରୀ ତପନ ନାରାୟଣ ରଥ ଏହି ବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ। ଏଥିସହିତ ଦୀର୍ଘ ୪୯ ବର୍ଷ ପୂର୍ବେ ୧୯୭୬ ମସିହାରେ ପଲ ଜୟରାଜ ନାମକ ଯାଜକ, ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରିବା ପାଇଁ ଏହି ପାହାଡ଼ ପର୍ବତ,ବଣ ଜଙ୍ଗଲ ପରିବେଷ୍ଟିତ ସେତେବେଳର ଏହି ଦୁର୍ଗମ ଏବଂ ଉପାନ୍ତ ଜିଲ୍ଲାକୁ ବାଛିନେଇଥିଲେ ବୋଲି, ତାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ପରେ ଅତିଥି ମାନଙ୍କ ଦ୍ଵାରା ପ୍ରବନ୍ଧ, ସଙ୍ଗୀତ, ବାଦବିବାଦ ,ବକୃତା, ଚିତ୍ରାଙ୍କନ,ଫେନ୍ସି ଡ୍ରେସ୍,ରାଇମସ ଏବଂ କୁଇଜ୍ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏଥିସହିତ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ ଶ୍ରୀମତୀ ପୁଷ୍ପାମଞ୍ଜରୀ ଦେବୀ,ଶିବ ପ୍ରସାଦ କିର୍ତ୍ତନୀୟା,ସୁବାସ ଭଟ୍ଟାଚାର୍ଯ୍ୟ,ବିଜୟ କୁମାର ପୁହାଣ,ଏମ ନନ୍ଦିନୀ ଏବଂ ପ୍ରଶାନ୍ତ କୁମାର ସତପଥିଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ଉପବିତ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସି ବି ଏସ ଇ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପରିଚାଳନା ମୁଖ୍ୟ ଶ୍ରୀ ଆଇ, ଜେବା ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ସହିତ ଆଇ ଏମ୍ ଏସ ଟି ଓଡ଼ିଶା ଓ ଛତିଶଗଡ଼ ଫିଲ୍ଡ କୋଅର୍ଡିନେଟର ତଥା ଯାଯକ ଶିବରାଜ, ପ୍ରୀନ୍ସିପାଲ ଶଶିକଲା ଏବଂ ବରିଷ୍ଠ ଶିକ୍ଷକ ତଥା ସାମ୍ବାଦିକ ଶିବ ପ୍ରସାଦ କିର୍ତ୍ତନୀୟା ମଧ୍ୟ ମଞ୍ଚାସିନ ଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ନର୍ସରୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଓଡ଼ିଶୀ ସହିତ,ଆମ୍ବ୍ରେଲା ଡାନ୍ସ,ଜିଙ୍ଗଲ ଡାନ୍ସ,କୋରାପୁଟିଆ, ତାମିଲନାଡୁ, ଆସାମ , ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ଲୋକନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ, ସଙ୍ଗୀତ, ନାଟକ ଏବଂ ସ୍କିଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ, ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇ ଥିଲା। ବିଜ୍ଞାନ ଶିକ୍ଷକ ମେଶକ ରାଜାୟା ଏବଂ ଶିକ୍ଷୟିତ୍ରୀ ନିବେଦିତା ମିଶ୍ର ମଞ୍ଚ ପରିଚାଳନା କରିଥଲେ। ଏମାନଙ୍କ ସହିତ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ – କରା ତୟାଲୁ, ସୁମିତ୍ରା ମୁର୍ମୁ, ନିରୁପମା ସାନ୍ତପାତ୍ର, ସୁଜାତା ଡାକୁଆ, ଶୋଭା, ହେଲେନ, ମିସ୍ ସନ୍ତୋଷିନୀ, ଅଜିତ ଖୋସଲା, ସୁନ୍ଦର କୁମାର, ଅନୀଲ ତେଲଗିରି,ଭୁବନ ଦାସ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ। ସର୍ବଶେଷରେ ସ୍କୁଲର ଭାଇସ ପ୍ରୀନ୍ସିପାଲ ସୁଧାମଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମବେତ ଜାତୀୟ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରାଯାଇଥିଲା।