ନିୟମରେ ହେଲା ବଡ଼ ପରିବର୍ତ୍ତନ: ଭିଡିଓ ରେକର୍ଡିଂ ଦେଖାଇବେନି ନିର୍ବାଚନ କମିଶନ

ନିର୍ବାଚନ ପରିଚାଳନା ନିୟମରେ ଗୋଟିଏ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସିସିଟିଭି ଫୁଟେଜ୍ ଓ ଭିଡିଓ ରେକର୍ଡିଂ ଭଳି କେତେକ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସର୍ବସାଧାଣ ତନଖି ଉପରେ ଲାଗିଛି ରୋକ। ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆପତ୍ତି ଆସିଲେ ଭିଡିଓ ରେକର୍ଡିଂର ଯାଞ୍ଚ କରାଯିବାର ପ୍ରାବଧାନ ରହିଥିଲା।

କିନ୍ତୁ ସେଥିରେ ସରକାର ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ ସଂଶୋଧନ କରି ଦେଇଛନ୍ତି। ସରକାରଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ହ୍ରାସ ପାଉଥିବା ନେଇ ଦଳ ଯେଉଁ ଆଶଙ୍କା କରୁଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି।

ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ ନିର୍ବାଚନ ପରିଚଳନା ନିୟମ ୧୯୬୧ର ଧାରା ୯୩ରେ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କେଉଁ ସବୁ ଦସ୍ତାବିଜର ତନଖି ସର୍ବସାଧାଣରେ କରାଯାଇ ପାରିବ ନାହିଁ, ତା’ର ତାଲିକା ପ୍ରସ୍ତୁତ ହୋଇଛି।

ନିର୍ବାଚନ ପରିଚାଳନାର ଧାର ୯୩(୨)(କ)ରେ ପୂର୍ବରୁ କୁହାଯାଇଥିଲା ଯେ “ନିର୍ବାଚନ ସହ ଜଡ଼ିତ ଅନ୍ୟ ସମସ୍ତ ନଥି ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହୋଇପାରିବ।” ନିୟମର ସଂଶୋଧିତ କରାଯାଇ କୁହାଯାଇଛି ଯେ ନିର୍ବାଚନ ସହ ଜଡ଼ିତ ଏହି ନିୟମରେ ଉଲ୍ଲେଖ କରାଯାଇଥିବା ଅନ୍ୟ ସମସ୍ତ କାଗଜପତ୍ର ସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ରହିବ।

ଗୋଟିଏ କୋର୍ଟ କେସ୍‌ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି। 

ନିର୍ବାଚନ କମିଶନର ଜଣେ ଅଧିକାରୀ କହିଛନ୍ତି, “ପୂର୍ବ ନିୟମକୁ ଆଧାର କରି ଏପରି କିଛି ଘଟଣା ଘଟିଛି ଯେଉଁଠାରେ ନିର୍ବାଚନ ସହ ଜଡ଼ିତ ଇଲେକ୍ଟ୍ରୋନିକ୍ ରେକର୍ଡକୁ ଖୋଜା ଯାଇଛି। ଏବେ ସଂଶୋଧନ ଦ୍ୱାରା ସୁନିଶ୍ଚିତ କରାଯାଇଛି ଯେ କେବଳ ନିୟମରେ ଉଲ୍ଲେଖ କରାଯାଇଥିବା ନଥି ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ। ଅନ୍ୟ କୌଣସି ଦସ୍ତାବିଜ ଯାହା ନିୟମ ଉଲ୍ଲେଖ ନାହିଁ, ସେଗୁଡ଼ିକ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବନାହିଁ।”

ନାମାଙ୍କନପତ୍ର ଫର୍ମ, ପୋଲ ଏଜେଣ୍ଟଙ୍କ ନିଯୁକ୍ତି, ଫଳାଫଳ ଓ ନିର୍ବାଚନ ଆକାଉଣ୍ଟ ଷ୍ଟେଟମେଣ୍ଟ ଭଳି ଦସ୍ତାବିଜ ଗୁଡ଼ିକ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ। ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟଗୁଡ଼ିକ ସର୍ବସାଧାରଣ ଯାଞ୍ଚ ନିୟମ ବାହାରେ ରହିବ। ନିର୍ବାଚନ ଅଧିକାରୀମାନେ ଆଶଙ୍କା କରିଛନ୍ତି ଯେ ବୁଥ ଭିତରେ ଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ସାର୍ବଜନୀନ ପାଇଁ ଅନୁମତି ଦେବା ଦ୍ୱାରା ଭୋଟରଙ୍କ ଗୋପନୀୟତାର ଅପବ୍ୟବହାର ହେବ। ଏଥିରେ ବୁଝାମଣା ହୋଇପାରେ।

ସେମାନଙ୍କ କହିବା କଥା ଯେ ଫୁଟେଜ୍ ସମେତ ଅନ୍ୟାନ୍ୟ ଦସ୍ତାବିଜ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ ହେବ। ସଂଶୋଧନ ପରେ ମଧ୍ୟ ଏହା ସେମାନେ ପାଇପାରିବେ। କିନ୍ତୁ ଅନ୍ୟମାନେ ଇଲେକ୍ଟ୍ରୋନିକ୍ ରେକର୍ଡ ପାଇବା ପାଇଁ କୋର୍ଟଙ୍କ ନିକଟକୁ ଯାଇପାରିବେ।

ନିକଟରେ ଆଇନଜୀବୀ ମହମ୍ମଦ ପ୍ରଚା ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟିଂ ସହ ଜଡ଼ିତ ଭିଡିଓଗ୍ରାଫି, ସିସିଟିଭି କ୍ୟାମେରା ଫୁଟେଜ ଓ ଦସ୍ତାବିଜର କପି ମାଗିଥିଲେ। ତାଙ୍କ ଆବେଦନକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକର କପି ଦେବାକୁ ପୋଲ ପ୍ୟାନେଲକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ନିର୍ବାଚନ ପରିଚାଳନା ନିୟମରେ ହୋଇଥିବା ସଂଶୋଧନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହାକୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରାଯିବ ଓ ନିର୍ବାଚନ କମିଶନ କାହିଁକି ସ୍ୱଚ୍ଛତାକୁ ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ଯଦି ନିକଟ ଅତୀତରେ ଆମ ଦଳ ଭାରତର ନିର୍ବାଚନ କମିଶନରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି, ତା’ହେଲେ ତା’ର କାରଣ ଏବେ ସାମ୍ନାକୁ ଆସିଛି। ସୂର୍ଯ୍ୟକିରଣ ସର୍ବୋତ୍ତମ ନିରାକରଣ ଓ ସୂଚନା ପ୍ରଦାନ ବିଶ୍ୱାସକୁ ପୁଣି ସ୍ଥାନ କରିବାର ମାଧ୍ୟମ। ଏଥିରେ ଏକମତ ହୋଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଯେତେବେଳେ ନିର୍ବାଚନ କମିଶନଙ୍କୁ ସମସ୍ତ ତଥ୍ୟ ଦେବାକୁ କହିଲେ ସେତେବେଳେ ଏହାକୁ ସାର୍ବଜନୀନ କରାଯିବା କଥା। କିନ୍ତୁ ECI ନିର୍ଦ୍ଦେଶକୁ ପାଳନ କରିବା ପରିବର୍ତ୍ତେ ତରବରିଆ ଭାବେ କେଉଁ ସବୁ ଦସ୍ତାବିଜ ସାର୍ବଜନୀନ କରାଯାଇ ପାରିବ, ସେଥିରେ ସଂଶୋଧନ କରିଛନ୍ତି। ECI ସ୍ୱଚ୍ଛତାକୁ କାହିଁକି ଏତେ ଭୟ କରୁଛି?”

nis-ad
Leave A Reply

Your email address will not be published.