ଗୁଇନ୍ଦା ବିଭାଗ ହାତରେ ମହିଳା ବ୍ରାଉନ ସୁଗାର ମାଫିଆ, ଘରୁ ବାହାରୁଛି ପୁଳାପୁଳା ଟଙ୍କା

ଭଦ୍ରକ: ଭଦ୍ରକରେ ମାତିଛନ୍ତି ମହିଳା ବ୍ରାଉନ ସୁଗାର ମାଫିଆ । ଖୁଲମଖୁଲା ବେପାର ଚାଲିଥିବାବେଳେ ସୂଚନା ପାଇ ମାଡି ବସିଲା ପୋଲିସ । ଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ଜବତ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ମହିଳାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ । ଗିରଫ ମହିଳା ଅଭିଯୁକ୍ତ ଜଣକ ହେଲେ କନିଯା ଫତମା ।

ଖବର ମୁତାବକ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ନୟାନଗର ଅଞ୍ଚଳରେ କନିଯା ଫତମା ଭଡା ଘରେ ରହି ନିଜର କାୟା ବିସ୍ତାର ଆରମ୍ଭ କରି ବ୍ରାଉନ ସୁଗାର କାରବାର କରିବା ସହ ଅନୈତିକ କାର୍ଯ୍ୟ କରି ଆସୁଥିଲେ । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭଦ୍ରକ ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦେବେଦୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି ।

ଏହି ଟଙ୍କାକୁ ଘରେ ବିଭିନ୍ନ ଉପାୟରେ ଲୁଚେଇ ରଖିଥିବା ବେଳେ ପୋଲିସ ଏବେବି ତଦନ୍ତ ଜାରି ରଖିଛି । ତେବେ କେତେ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି ତାହା ଜଣାପଡିନିଥିବାବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ପୋଲିସ ସୂଚନା ଦେବ ବୋଲି ଏସପି କହିଛନ୍ତି ।

nis-ad
Leave A Reply

Your email address will not be published.