‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେବେ ମମତା ! ସମର୍ଥନ କଲା ସପା, କଂଗ୍ରେସ ଛାନିଆ

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ୱ ନେବାକୁ ମମତା ବାନାର୍ଜୀଙ୍କ ଆଗ୍ରହ ଦେଖି କଂଗ୍ରେସ ଛାନିଆ। ସେପଟେ ଦିଦିଙ୍କ ସମର୍ଥନରେ ବାହାରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। କେବଳ କଂଗ୍ରେସ କି ସପା ନୁହେଁ, ମମତାଙ୍କ ବୟାନ ପରେ ବିରୋଧୀ ମେଣ୍ଟରେ ଥିବା ଆରଜେଡି, ବାମଦଳ ଓ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ଏହି ପ୍ରସଙ୍ଗରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ବିରୋଧୀ ମେଣ୍ଟର ନେତୃତ୍ୱ ନେବାକୁ ମମତା ଆଗ୍ରହୀ
ବାସ୍ତବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ୱକୁ ନେଇ ଏକ ବୟାନ ଦେଇଥିଲେ। ନିକଟରେ ହୋଇଥିବା ନିର୍ବାଚନ ଏବଂ ଉପ-ନିର୍ବାଚନରେ ​​ଇଣ୍ଡିଆ ବ୍ଲକର ପ୍ରଦର୍ଶନକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଭଳି ପରିଣାମ ପାଇଁ ସେ ଏହାର ନତୃତ୍ୱକୁ ଦାୟୀ କରିଥିଲେ। ସେତିକି ନୁହେଁ, ସେ ନିଜେ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି। ଯାହାକୁ ନେଇ ବିରୋଧୀ ମେଣ୍ଟରେ ପୁଣି ଆରମ୍ଭ ହୋଇଛି ତୁତୁ.. ମେମେ।
କଂଗ୍ରେସ ନେତା ଛାନିଆ
କଂଗ୍ରେସ ନେତା ଟିଏସ୍ ସିଂହଦେଓ ଏହାକୁ ମମତାଙ୍କର ନିଜସ୍ୱ ମତ ବୋଲି କହିଛନ୍ତି। ସେ କହିଛନ୍ତି, ‘ମମତା ଇଣ୍ଡିଆ ମେଣ୍ଟର ଜଣେ ସଦସ୍ୟ। ଯାହା ବି ଆଲୋଚନା ହୁଏ, ସ୍ୱାଭାବିକ ଯେ ସମସ୍ତେ ଏକାଠି ବସି ନିଷ୍ପତ୍ତି ନେବେ।’ ସେହିପରି କଂଗ୍ରେସ ସାଂସଦ ବର୍ଷା ଗାଇକୱାଡ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱରେ ବିରୋଧୀ ମେଣ୍ଟ ଖରାପ ପ୍ରଦର୍ଶନ କରୁଥିବା ମମତା ବାନାର୍ଜୀ ଅନୁଭବ କରୁଛନ୍ତି, କିନ୍ତୁ ଆମେ ସେପରି ଅନୁଭବ କରୁନାହୁଁ। ଏନେଇ ଆଲୋଚନା ହୋଇପାରେ। ତାଙ୍କ ଦଳ ତାଙ୍କ କଥାରେ ଚାଲିଥାଏ। ଆମେ କିନ୍ତୁ କଂଗ୍ରେସର ନିର୍ଦ୍ଦେଶ ପାଳନ କରୁ। କଂଗ୍ରେସ ନେତା ରସିଦ ଅଲଭି ମେଣ୍ଟ ମଧ୍ୟରେ ସହମତିର ଆବଶ୍ୟକତା ଅଛି ବୋଲି କହିଛନ୍ତି। ସେହିଭଳି ଅନ୍ୟତମ କଂଗ୍ରେସ ସାଂସଦ ତନିଜ ପୁନିଆ ଏହି ପ୍ରସଙ୍ଗ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯିବା ଉଚିତ ବୋଲି କହିଛନ୍ତି।

କଂଗ୍ରେସ ନେତୃତ୍ୱ ଉପରେ ବାମଦଳ ଉଠାଇଲା ପ୍ରଶ୍ନ
ଟିଏମସି ପରେ ବାମଦଳ ମଧ୍ୟ କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି। ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି, ‘କଂଗ୍ରେସକୁ ଆତ୍ମସମୀକ୍ଷା କରିବା ଆବଶ୍ୟକ। ବର୍ତ୍ତମାନ ପରିସ୍ଥିତିରେ ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ଆବଶ୍ୟକ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ​​କଂଗ୍ରେସ ମେଣ୍ଟ ସହଯୋଗୀ ମାନଙ୍କୁ ସଠିକ ଢଙ୍ଗରେ ନିୟନ୍ତ୍ରଣ କରିନଥିଲା, ଯଦି କଂଗ୍ରେସ ସହଯୋଗୀ ଦଳଗୁଡ଼ିକର କଥା ଶୁଣିଥାଆନ୍ତା, ତେବେ ଲୋକସଭା ଏବଂ ହରିୟାଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଭିନ୍ନ ହୋଇଥାନ୍ତା।’ ସେପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ ମେଣ୍ଟରେ ଥିବା ମତଭେଦକୁ ଲୁଚାଇ କୋଲକାତା ଯାଇ ମମତାଙ୍କ ସହ କଥା ହେବାକୁ କହିଛନ୍ତି।

ଦିଦିଙ୍କୁ ସପାର ସମର୍ଥନ
ସମାଜବାଦୀ ପାର୍ଟି ମୁଖପାତ୍ର ଉଦୟବୀର ସିଂହ କହିଛନ୍ତି ଯେ ଯଦି ମମତା ବାନାର୍ଜୀ କୌଣସି ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଇଣ୍ଡିଆ ବ୍ଲକର ନେତାମାନେ ଏହାକୁ ବିଚାର କରିବା ଉଚିତ ଏବଂ ତାଙ୍କୁ ସମର୍ଥନ କରିବା ଉଚିତ୍। ଏହା ଇଣ୍ଡିଆ ମେଣ୍ଟକୁ ମଜବୁତ କରିବ। ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକାକୀ ବିଜେପିକୁ ରୋକିବାରେ ସମର୍ଥ ହୋଇଛନ୍ତି। ମମତା ବାନାର୍ଜୀ ଏବଂ ତାଙ୍କ ଦଳ ପ୍ରତି ଆମର ଶତ ପ୍ରତିଶତ ସମର୍ଥନ ଏବଂ ସହଯୋଗ ରହିଛି। ହରିୟାଣା କିମ୍ବା ମହାରାଷ୍ଟ୍ର, ଯେଉଁଠାରେ ଆମେ ନିର୍ବାଚନ ହାରିଲୁ ସେଠାରେ କଂଗ୍ରେସ ଦଳ ମୁଖ୍ୟ ଦଳ ଭାବେ ଲଢ଼ିଥିଲା। ଯଦି ଆଶା କରାଯାଉଥିବା ସଫଳତା ମିଳିପାରିନାହିଁ, ତେବେ ଏହାର ଉତ୍ତରଦାୟିତ୍ୱ ମଧ୍ୟ କଂଗ୍ରେସ ନେବା ଉଚିତ।
ଲାଲୁଙ୍କୁ ବିରୋଧୀ ମେଣ୍ଟର ସୂତ୍ରଧର କହିଲା ଆରଜେଡି
ଅନ୍ୟପଟେ ମମତା ବାନାର୍ଜୀଙ୍କ ବିବୃତ୍ତି ଉପରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ‘ବିଜେପି ବିରୋଧରେ ବିରୋଧୀ ମେଣ୍ଟର ପ୍ରକୃତ ପ୍ରତିଷ୍ଠାତା ହେଉଛନ୍ତି ଲାଲୁ ପ୍ରସାଦ ଯାଦବ। ତାଙ୍କ ଉଦ୍ୟମରେ ହିଁ ପାଟନାରେ ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମମତା ବାନାର୍ଜୀ ମଧ୍ୟ ଭାଗ ନେଇଥିଲେ। ସମସ୍ତେ ନିଜ ନିଜ ରାଜ୍ୟରେ ବିଜେପି ବିରୋଧରେ ଲଢ଼ିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଆମେ ଝାରଖଣ୍ଡରେ ସଫଳତା ପାଇଛୁ। ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ମମତା ବାନାର୍ଜୀ ଜୋରଦାର ଲଢ଼ୁଛନ୍ତି। ବର୍ତ୍ତମାନ ୨୦୨୫ରେ ବିହାର ପାଳି। ବିଜେପି ବିରୋଧରେ ଆମର ମେଣ୍ଟ ସଂପୂର୍ଣ୍ଣ ଏକଜୁଟ ଅଛି।

nis-ad
Leave A Reply

Your email address will not be published.