ମୁମ୍ବାଇ: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ଆଜିଠୁ ରାଜ୍ୟରେ ଫଡ଼ନାବିସଙ୍କ ନେତୃତ୍ଵରେ ମହାୟୁତି ସରକାର ଆରମ୍ଭ ହୋଇଛି। ଫଡ଼ନାବିସଙ୍କ ବ୍ୟତୀତ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି। ତେବେ ଶିବସେନା(ୟୁବିଟି) ପ୍ରମୁଖ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚହ୍ଵାଣ, ଏନସିପି(ଏସପି) ପ୍ରମୁଖ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ଵାର ଅନୁପସ୍ଥିତ ରହିଛନ୍ତି।
ଏଥିସହ ଶପଥ ଉତ୍ସବରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ରାଧିକା ଓ ଅନନ୍ତ ଅମ୍ବାନୀ ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ନୋଏଲ ଟାଟା ଓ ଦୀପକ ପାରିଖ ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଛନ୍ତି। ପୂର୍ବତନ ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ମହାନ ବ୍ୟାଟର ସଚିନ ତେନ୍ଦୁଲକର, ମଧ୍ୟ ଏହି ସମାରୋହରେ ସାମିଲ ହୋଇଛନ୍ତି। ବଲିଉଡରୁ ସଲମାନ ଖାନ, ସଞ୍ଜୟ ଦତ୍ତ, ଶାହୁରଖ ଖାନ, ମାଧୁରୀ ଦୀକ୍ଷିତ ଓ ରଣବୀର କୁପର ଯୋଗ ଦେଇଛନ୍ତି।
ଦେବେନ୍ଦ୍ର ଫଡ଼ନାବିସଙ୍କୁ ବୁଧବାର ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ପରେ ମହାୟୁତି ମେଣ୍ଟର ଏକ ପ୍ରତିନିଧିମଣ୍ଡଳ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ସମୟରେ ଦେବେନ୍ଦ୍ର ଫଡ଼ଣବିସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ଵାରଙ୍କ ଉପସ୍ଥିତିରେ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ତେବେ ଏକନାଥ ସିନ୍ଦେଙ୍କ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ନେଇ ଶପଥ ସମାରୋହ ପୂର୍ବରୁ ସସପେନ୍ସ ଲାଗି ରହିଥିଲା। ତେବେ ବହୁ ବୁଝାସୁଝା ପରେ ଏକନାଥ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ରାଜି ହୋଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟିଂ ହୋଇଥିବା ବେଳେ ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୨୮୮ ବିଧାନସଭା ସିଟରୁ ମହାୟୁତି ୨୩୦ ସିଟ୍ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଥିଲେ। ବିଜେପି ୧୩୨ ସିଟ୍ ଜିତିଥିବ ବେଳେ ମେଣ୍ଟ ସହଯୋଗୀ ସିନ୍ଦେ ଗୋଷ୍ଠୀକୁ ୫୭ ସିଟ୍ ମିଳିଥିବା ବେଳେ ଅଜିତ ପାଓ୍ଵାରଙ୍କ ଏନସିପିକୁ ୪୧ ସିଟ୍ ମିଳିଥିଲା। ଅନ୍ୟପଟେ ବିରୋଧୀ ମହାବିକାଶ ଅଘାଡ଼ି ୪୬ ସିଟରେ ସୀମିତ ରହିଥିଲା।
Sign in
Sign in
Recover your password.
A password will be e-mailed to you.