ବିଦ୍ୟୁତ୍ ତାର ବିଛାଇଲେ, ସିଧା ଘରୁ କଟାଯିବ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ବର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ, ବାରାହା ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ଲଗାତାର ବଢିଚାଲିଥିବା ବେଳେ ଆଜି ଗୃହରେଏହାକୁ ନେଇ ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ । ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ, ବିଦ୍ୟୁତ୍ ତାର ଲାଗି ବାର୍‌ହା ଓ ହାତୀ ମୃତ୍ୟୁକୁ ବରଦାସ୍ତ କରାଯିବନି ବୋଲି କହି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାରାହା ମାରିବା ପାଇଁ ଯେଉଁମାନେ ବିଦ୍ୟୁତ ତାର ବିଛାଉଛନ୍ତି କିମ୍ବା କରେଣ୍ଟର ବ୍ୟବହାର କରାଯାଉଛି,  ସେଥିରେ କେବଳ ବାରହା ନୁହେଁ ବରଂ ହାତୀ ଏପରିକି ସାଧାରଣ ଲୋକଙ୍କ ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ବିଦ୍ୟୁତ୍ ତାର ଲାଗି ବାର୍‌ହା ଓ ହାତୀ ମୃତ୍ୟୁକୁ ଆଦୌ ବରଦାସ୍ତ କରାଯିବନି । ଏଭଳି ଘଟଣାକୁ ରୋକିବାକୁ ସରକାର କଠୋର ହେବେ । ଜଙ୍ଗଲି ପଶୁଙ୍କୁ ମାରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ଅଭିଯୁକ୍ତଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିଦିଆଯିବା ନେଇ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏହାସହ ଏହି ପଦକ୍ଷେପକୁ ସଫଳ କରିବାକୁ ଅନ୍ୟ ବିଧାୟକଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି ଉପମୁଖ୍ୟମନ୍ତ୍ରୀ । ବନ୍ୟଜନ୍ତୁ ମୃତ୍ୟୁ ଯୋଗୁଁ ରାଜ୍ୟ ବଦନାମ ହେଉଛି । ତେଣୁ ନିଜ ନିଜ ଅଞ୍ଚଳରେ ଏଭଳି ଘଟଣା ଏଡାଇବାକୁ ବିଧାୟକମାନେ ଏହା ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତି ଶକ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.