ଭୁବନେଶ୍ବର: ଶେଷରେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ । ୬ ମାସରୁ ଛୁଟିରେ ଫେରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ସୁଜାତାଙ୍କ ସାନି ଛୁଟି ଖାରଜ ହେବା ପରେ ଆଜି କାର୍ଯ୍ୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ତେବେ ବିଜେଡିର ନିର୍ବାଚନୀ ପରାଜୟ ପରେ ବିଜେଡିର ନମ୍ବର ୧ ନେତା କୁହାଯାଉଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ ଗତ ମେ’ ମାସ ୩୧ରୁ ଝିଅର ଦଶମ ପରୀକ୍ଷା କାରଣ ଦର୍ଶାଇ ୬ ମାସ ଛୁଟି ନେଇଥିଲେ । ଯାହା ଗତକାଲି ଶେଷ ହୋଇଥିବା ବେଳେ ପୁଣି ନଭେମ୍ବର ୨୭ରୁ ଅର୍ଥାତ୍ ଆଜି ତାଙ୍କୁ କାର୍ଯ୍ୟରେ ଯୋଗ ଦେବାର ଥିଲା । ହେଲେ ଗତ ୪ ତାରିଖରେ ପୁନଃ ୬ମାସ ଛୁଟି ପାଇଁ ଆବେଦନ କରିଥିଲେ । ହେଲେ ସୁଜାତାଙ୍କ ଏହି ଆବେଦନ ଖାରଜ ହେବା ପରେ, ନିର୍ଦ୍ଦେଶ ଅନୁଯାୟୀ ଆଜି ପୁଣି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା ।
ବିଜେଡି ସରକାରରେ ମିଶନ ଶକ୍ତିର ସଚିବ ଥିଲେ ସୁଜାତା । ହେଲେ ସଚିବ ପଦରେ ଥାଇ ମଧ୍ୟ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ କାଳେ ମହିଳାମାନଙ୍କୁ ଧମାକାଉଥିବା ଅଭିଯୋଗରେ ବିବାଦକୁ ଆସିଥିଲେ ସୁଜାତା । ଏହାପରେ ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନୂଆ ସରକାରଙ୍କ ଦ୍ବାରା ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ।
ହେଲେ ନୂଆ ସରକାର ଆସିବା ଏବଂ ବଦଳି ପରେ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି ନେଇଯାଇଥିଲେ ସୁଜାତା । ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା । ସର୍ବଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ । ଯାହାକୁ ତତ୍କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ ।