ନୂଆପଡ଼ା : କେମିତି ଶିକାର କଲେ, କେମିତି ଭୋଜି କରି ଖାଇଲେ ବାଘ ମାଂସ ? ଡେମୋ ଦେଖାଇଲେ ଶିକାରୀ। ନୂଆପଡ଼ାରେ କଲରାପତରିଆ ଶିକାର ପରେ ମାଂସ ଭୋଜି ଖାଇବା ଘଟଣାରେ ସିନ୍ ରିକ୍ରିଏସନ କରିଛି ବନବିଭାଗ । ଜଣେ ଶିକାରୀକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି । ଅଧିକ ପ୍ରମାଣ ତଥ୍ୟ ସଂଗ୍ରହ କରିବା ପାଇଁ ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ସାଲେହାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ଅଭିଯୁକ୍ତ ଜଣେ ଶିକାରୀଙ୍କୁ ନେଇ କୋମନା ରେଞ୍ଜ ଦେଓଧରା ପାଟି ଜଙ୍ଗଲରେ ପହଂଚିଥିଲେ ।
ସେଠାରେ ଶିକାରୀ ଜଣକ ବାଘକୁ କିଭଳି ବିଦ୍ୟୁତ ତାର ଲଗାଇ ହତ୍ୟା କରିଥିଲେ ଏବଂ ପରେ ମାଂସକୁ ରୋଷେଇ କରି ଖାଇଥିଲେ ତାହା ଦେଖାଇଥିଲେ । ଘଟଣାସ୍ଥଳରୁ ବିଦ୍ୟୁତ୍ ତାର, ବାଘ ରକ୍ତ ଲାଗିଥିବା ପଥର ମଧ୍ୟ ଜବତ ହୋଇଛି । ଗତ ୧୬ରେ ଶିକାରୀମାନେ ବାରହା ଶିକାର ପାଇଁ ଫାଶ ବସାଇଥିଲେ । ସେହି ଫାଶରେ କଲରାପତରିଆ ବାଘର ମୃତ୍ୟୁ ହେବା ପରେ ତାକୁ ଖାଇଥିଲେ ସଂପୃକ୍ତ ଶିକାରୀ ।
ଘଟଣାରେ ସମ୍ପୃକ୍ତଥିବା ପୁସ୍ତମ ଚିନ୍ଦା ଓ ହୃଷିକେଶ ଚିନ୍ଦା ନାମକ ୨ ଜଣ ଶିକାରୀକୁ ବନବିଭାଗ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ୨ଜଣ ଶିକାରୀ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରି ଜୋରଦାର ତନାଘନା ଜାରିରଖିଛି ।