୨୦ରୁ ବରଗଡ଼, ୨୨ରୁ ସମ୍ବଲପୁରରେ ଧାନକିଣା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ। ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିଆରେ ସ୍ବୟଂକ୍ରିୟ ଶସ୍ୟ ମାନ ପରୀକ୍ଷଣ ଯନ୍ତ୍ର (ଅଟୋମେଟିକ୍‌ ଗ୍ରେନ୍‌ ଆନାଲାଇଜର) ଲଗାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଧାନର ଆର୍ଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଦଲାଲି, କଟଣି ଛଟଣିକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରବିବାର ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ କରାଯାଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ମାସ ୨୦ ବରଗଡ଼ ଜିଲାରେ ଓ ୨୨ ତାରିଖରୁ ସମ୍ବଲପୁର ଜିଲାରୁ ଧାନକିଣା ଆରମ୍ଭ ହେବ। ତେବେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା (ମୋଟ ୩୧୦୦ ଟଙ୍କା) ଦେବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲା ସୋହେଲାରୁ ଏହି ଅର୍ଥ ପ୍ରଦାନ ଚାଷୀଙ୍କୁ ହସ୍ତାନ୍ତର କରାଯିବା ଡିସେମ୍ବର ୭ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କ୍ବିଣ୍ଟାଲ ପିଛା ବକେୟା ୮୦୦ ଟଙ୍କା ଲେଖାଏଁ ପାଇବେ। ଅନ୍ୟପକ୍ଷରେ କଟ୍‌ଣି ଛଟଣିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଜିଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଲାଗି ମଣ୍ଡିରେ ନୋଡାଲ ଅଧିକାରୀ, ସୁପରଭାଇଜର ନିଯୁକ୍ତ କରାଯାଇଛି। ଆଜିର ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, ଆୟୁକ୍ତ ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.