ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ବାଲିଯାତ୍ରା, ଏଥର ଲାଗିବ ବିଦେଶୀ ପର୍ଯ୍ୟଟକଙ୍କ ଗହଳି

କଟକ ୧୨।୧୧: ସଜେଇ ହେଉଛି ବାଲିଯାତ୍ରା ପଡ଼ିଆ । ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ଯାତ୍ରା । ଆସନ୍ତା ୧୫ରୁ ଆରମ୍ଭ ହେବାକୁ ଯାଉଛି ଏସିଆର ସର୍ବ ବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା । ସବୁଠି ପ୍ରସ୍ତୁତି ଜୋରଦାର । କେଉଁଠି ଟେଣ୍ଟ ବନ୍ଧା ଚାଲିଛି ତ ଆଉ କେଉଁଠି ରାସ୍ତାଘାଟ ମରାମତି । ଡେକୋରେସନ କାମ ବି ଆଗେଇ ଚାଲିଛି । ତେବେ ଚଳିତ ବର୍ଷ  ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରାଇବାକୁ ସରକାର  ଚଳାଇଛନ୍ତି ପ୍ରୟାସ ।  ସେପଟେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।

ବାଲିଯାତ୍ରା ଚଳିତ ଥର ହେବ ଆହୁରି ହଟକେ।   ଏ ବର୍ଷ ବାଲିଯାତ୍ରାକୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଦିଆଯାଇଛି ନିମନ୍ତ୍ରଣ।  ୧୨ ଦେଶର ରାଷ୍ଟ୍ରଦୂତ ଓ ୭ ଦେଶର କଳାକାର ଆସିବାକୁ ସହମତି ପ୍ରକାଶ କରିଛନ୍ତି । ବାଲିଯାତ୍ରା ସହ ସେମାନଙ୍କୁ ମାରିଟାଇମ୍ ମ୍ୟୁଜିଅମ୍ ବୁଲାଇବା ପାଇଁ ମଧ୍ୟ ଯୋଜନା ରହିଛି । ଚଳିତଥର ବାଲିଯାତ୍ରାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆସିବାର ସମ୍ଭାବନା ରହିଛି ।  ସେଥିପାଇଁ ଯାତ୍ରା ପଡ଼ିଆରେ ପ୍ରସ୍ତୁତି କାମ ଚାଲିଛି ଜୋରସୋରରେ। ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦରଖ କରିଛନ୍ତି  ସୂଚନା ଲୋକ ସମ୍ପର୍କ ବିଭାଗ ସଚିବ, କଟକ ଜିଲ୍ଲାପାଳ, ପୋଲିସ କମିଶନର, କଟକ ଡିସିପି, ସିଏମସି କମିଶନର ଓ ଅନ୍ୟ ଅଧିକାରୀ ।

ଅନ୍ୟପଟେ ମୋବାଇଲ୍ ନେଟ୍ଓ୍ବର୍କ ସମସ୍ୟା ଓ ଅନଲାଇନ୍ ଟ୍ରାଞ୍ଜାକ୍ସନ ସମସ୍ୟା ଦୂର ପାଇଁ ଚେଷ୍ଟା କରାଯାଇଛି । ଚଳିତ ବର୍ଷ ମୋବାଇଲ୍ କଲ୍ ଓ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ଅଧିକ ବ୍ୟବସ୍ଥା ହୋଇଛି । ଯାତ୍ରା ପଡ଼ିଆରେ ବିଭିନ୍ନ ଟେଲିକମ୍ କମ୍ପାନୀ ୮ଟି ଶକ୍ତିଶାଳୀ ଟାୱାର ଲଗାଇଛନ୍ତି । ଆଉ ୭ଟି ଟାୱାର ଲଗାଇବା ପାଇଁ ଚେଷ୍ଟା ଚାଲିଛି । କିଛି ସ୍ଥାନକୁ ଇଣ୍ଟରନେଟ୍ ହଟ୍ ସ୍ପଟ୍ ଜୋନ୍ ଓ ଅଫଲାଇନ୍ ୟୁପିଆଇ ବ୍ୟବସ୍ଥା ବି ହୋଇଛି । ଫୋନ୍ କଲ୍ ଯେପରି ନିରବଚ୍ଛିନ୍ନ ଭାବେ ଚାଲିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଉଛି । 

ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ ଚଳିତ ବାଲିଯାତ୍ରାରେ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ।

nis-ad
Leave A Reply

Your email address will not be published.