ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରହିଥିବା ମିନତୀ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରାଯାଇଥିଲା । ହେଲେ ଏନେଇ କୌଣସି ସୂଚନା ପାଇନାହାନ୍ତି କହି ବରଖାସ୍ତ ପରେ ବି ନିୟମିତ କାର୍ଯ୍ୟକୁ ଆସୁଥିଲେ ମିନତୀ । ଏହାପରେ କାହିଁକି ତାଙ୍କର ପଦଚ୍ୟୁତି କରାଯିବ ନାହିଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ହୋଇଥିଲା । କମିଶନଙ୍କ କାର୍ଯ୍ୟ ପ୍ରଦର୍ଶନ ସନ୍ତୋଷ ଜନକ ନୁହେଁ କାରଣ ଦର୍ଶାଇ କାହିଁକି ପଦଚ୍ୟୁତ କରାନଯିବ ନୋଟିସ୍ କରାଯାଇଥିଲା । ହେଲେ ମିନତୀଙ୍କ ପକ୍ଷରୁ ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ପଦଚ୍ୟୁତ କରିଛନ୍ତି ରାଜ୍ୟ ସରକାର ।
ତେବେ ଗତ ଅକ୍ଟୋବର ୨୩ ତାରିଖରେ ରାଜ୍ୟ ମହିଳା କମିଶନ ଭଙ୍ଗ ପରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଥିଲା । ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନଙ୍କୁ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିଲେ । କିନ୍ତୁ ବରଖାସ୍ତ ପରେ ବି ପଦ ଛାଡିନଥିଲେ ମିନତୀ ।
ତେବେ କହିରଖୁଛୁ, ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା । ତେବେ ନୂତନ ସରକାର ଆସିବାର ୪ ମାସ ବିତିଥିଲେ ମଧ୍ୟ ନିଜ ଆଡ଼ୁ ପଦରୁ ଇସ୍ତଫା ନଦେବାରୁ ବିଜେଡିର ନେତ୍ରୀ କମିଶନ ଓ ସଦସ୍ୟାଙ୍କୁ ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ବରଖାସ୍ତ କରିଥିଲେ। ସାଧାରଣ ଭାବେ କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥାଏ । କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରିବା ପୂର୍ବରୁ ବରଖାସ୍ତ କରିଥିଲେ ସରକାର ।