ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ୍ ମହାନ୍ତି ।
ଲେନିନ୍ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ପଦ୍ମ ପୁରସ୍କାର ବିଜେତାଙ୍କୁ ଯେଉଁ ମାସିକ ୩୦ ହଜାର ଆର୍ଥିକ ସମ୍ମାନ ଘୋଷଣା କରାଯାଇଛି ତାହା ପୂର୍ବ ସକରାରଙ୍କ ଘୋଷଣା । ନବୀନ ସରକାର ଏହି ମାର୍ଚ୍ଚ ଠାରୁ ୨୫ ହଜାର ଆର୍ଥିକ ସମ୍ମାନ ରାଶି ଦେବେ ବୋଲି ଘୋଷଣା କରିଥିବା ବେଳେ ବିଜେପି ସରକାର ଏହାକୁ ଆଉ ୫ ହଜାର ବଢାଇ ୩୦ ହଜାର ଦେବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଚଞ୍ଚକତା କରି ପୂର୍ବ ସରକାର ଏହା ଆରମ୍ଭ କରିଥିଲେ ବୋଲି ଉଲ୍ଲେଖ କରିନାହାନ୍ତି । ସେହିପରି ପୂର୍ବ ସରକାରଙ୍କ ଦ୍ବାରା ମହିଳାଙ୍କ ପାଇଁ ବର୍ଷକୁ ୧୦ ଦିନ ବିଶେଷ ଛୁଟି ଘୋଷଣା ହୋଇଥିବା ବେଳେ ଏବେକା ସରକାର ଏହାକୁ ବର୍ଷକୁ ୧୨ ଦିନ କରିଛନ୍ତି । ପୂର୍ବରୁ ୩୪ ଟି ନୂତନ ଏନଏସି ଓ ୫ଟି ଏନଏସିକୁ ମୁନିସିପାଲଟି କରିବା ପାଇଁ ପୂର୍ବ ସରକାରଙ୍କ ଦ୍ବାରା ଘୋଷଣା ହୋଇଥିଲା । କିନ୍ତୁ ଏହି ନିକଟରେ ପୁଣି ସମାନ ଘୋଷଣା କରିଛନ୍ତି ନୂଆ ସରକାର । ଏମିତି କରି ନୂଆ ସରକାର ଖାଲି ମିଛରେ ବାହା ବାହା ନେଉଛନ୍ତି ।
ଖାଲି ସେତିକି ନୁହେଁ, ବେଦାନ୍ତ ତାର ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ଡମ୍ପିଂ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମିଛ କହିଛନ୍ତି ବୋଲି ଲେନିନ୍ କହିଛନ୍ତି । ଲେନିନ୍ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହାକୁ ନବୀନ ସରକାର ନୁହେଁ, କ୍ଷମତାକୁ ଆସିବାର ମାସେ ପରେ ନିଜେ ରାଜସ୍ବ ମନ୍ତ୍ରୀ ହିଁ ଅନୁମତି ଦେଇଛନ୍ତି । ହେଲେ ଏବେ ପୂର୍ବ ସରକାରଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି ବୋଲି ଲେନିନ୍ ଅଭିଯୋଗ କରିଛନ୍ତି । ଏଥିସହିତ ଏହା ପରିବେଶ ବିଭାଗ ହୋଇଥିଲେ ମଧ୍ୟ ଏଥିରେ ସୁରେଶ ପୂଜାରୀ କାହିଁକି ମୁଣ୍ଡ ପୂରାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ।
ଏଥିସହିତ ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ କରି, ଆଳୁ ମିଶନ ଆଉ ଆମ୍ବ ଟାକୁଆ ପ୍ରସଙ୍ଗ ନେଇ ରାସନ ବଣ୍ଟନ, ସବୁ ଫେଲ୍ ବୋଲି କହି କଟାକ୍ଷ କରିଛନ୍ତି । ଏଥିସହିତ ଯୋଗାଣ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରିଛି ବିଜେଡି ।
ସେପଟେ ଲେନିନଙ୍କୁ କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ସରକାର ଖାଲି ଘୋଷଣାରେ ସୀମିତ ଥିଲା । ଏତେ ଘୋଷଣା କରିଥିଲେ ଯେ, ମନେ ହିଁ ନଥିଲା, ଆଜି ଶାସନରୁ ଗଲା ପରେ ମନେପଡୁଛି । ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କର କୌଣସି କଥାରେ ଯଦି ପ୍ରମାଣ ଅଛି ତାହାଲେ ବିଜେଡି ଦେଉ ବୋଲି ସେ ଚାଲେଞ୍ଜ କରିଛନ୍ତି ।