ଝାରସୁଗୁଡା ପୋଲିସକୁ ମିଳିଲା ବଡ ସଫଳତା, AI ଦ୍ବାରା କାବୁ ହେଲା ଚୋର

ଟେକ୍ନୋଲୋଜି ସାହାଯ୍ୟରେ ଏବେ ସବୁ ସମ୍ଭବ । ଚୋର ମାନେ ଚୋରି କରୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଚୋରଙ୍କୁ ଧରିବା ପାଇଁ ଏବେ AI ପାଲିସକୁ ସାହାଯ୍ୟ କରୁଛି । ଝାରସୁଗୁଡା ପୋଲିସକୁ ମିଳିଛି ବଡ ସଫଳତା । AI ବ୍ୟବହାର କରି ଚୋର ଗ୍ୟାଙ୍ଗ ସହ ଚୋରି ଜିନିଷକୁ ଜବତ କରିଛି ଝାରସୁଗୁଡା ପୋଲିସ ।

ତେବେ ଚଳିତ ମାସ  ଝାରସୁଗୁଡାରେ ଗତ ୨, ୪ ଓ ୫ ତାରିଖରେ ୩ଟି ସ୍ଥାନରେ ଚୋରି ହୋଇଥିବା ସାମ୍ନାକୁ ଆସିଥିଲା । ଘଟଣା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଚୋରଙ୍କ ମୁହଁରେ କପଡା ଥିବାରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଝାରସୁଗୁଡା ପୋଲିସ ପାଇଁ ମୁସ୍କିଲ ହୋଇଥିଲା । କିନ୍ତୁ ପରେ ଝାରସୁଗୁଡା ପୋଲିସ AIର ସାହାଯ୍ୟ ନେଇ କପଡାର ରଙ୍ଗକୁ ନେଇ ଡକାୟତଙ୍କୁ ଟ୍ରାକ୍ କରିବା ପାଇଁ ଚେଷ୍ଟା କଲା । ପରେ ଚୋରଙ୍କ ଲୋକେସନ ଟ୍ରାକ କରିବା ସହ ସନ୍ଦିଗ୍ଧଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ମାର୍ଗରେ କ୍ୟାମେରାର ଫୁଟେଜ୍ ଖୋଜିଥିଲା ପୋଲିସ୍ । ପରେ AI ସାହାଯ୍ୟରେ ଏପରି ଏକ ଫୁଟେଜ ପାଇଥିଲା ଯେଉଁଥିରେ ସନ୍ଦିଗ୍ଧଙ୍କ ମୁହଁ ଦେଖି ପାରିଥିଲା । ସଂଦିଗ୍ଧଙ୍କ ଚେହେରା ଚିହ୍ନିବା ପରେ ଲାଇଭ୍ ଲୋକେସନ ମନିଟରିଂରୁ ଜାଣିବାକୁ ପାଇଥିଲା ୪ ଚୋର ଏକ ବସରେ କେଉଁଝର ଅଭିମୁଖେ ଯାଉଛନ୍ତି । ଆଉ ଏ ଚୋରଙ୍କ ପିଛା କରି ତାଙ୍କୁ ମାଡ଼ି ବସିଥିଲା ପୋଲିସ । ତେବେ ଦେବଗଡରୁ ଚୋରଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ୪ ଚୋରଙ୍କୁ ଗିରଫ କରିବା ସହ ଚୋରି ଜିନିଷକୁ ମଧ୍ୟ ଜବତ କରିଛି ପୋଲିସ ।

AI ହିଁ ଚୋରଙ୍କୁ ଧରା ପକାଇବାରେ ପୋଲିସକୁ ସାହାଯ୍ୟ କରିଛି । ତେବେ ପ୍ରତ୍ୟେକ ଜିଲ୍ଲାରେ ଯଦି ପୋଲିସମାନେ ଏମିତି AI ସାହାଯ୍ୟ ନେଇ ତଦନ୍ତ କରିବେ । ତେବେ ଅପରାଧର ମାତ୍ରା ନିଶ୍ଚିତ କମିବ । ଝାରସୁଗୁଡ଼ା ପୋଲିସର ସଫଳତା ପରେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

nis-ad
Leave A Reply

Your email address will not be published.