ଭୁବନେଶ୍ବର : ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣିଥରେ ମଦବାରଗୁଡ଼ିକ ପାଇଁ କଠୋର ହୋଇଛନ୍ତି । ଏଣିକି ବାରଗୁଡ଼ିକରେ କେବଳ ଅର୍କେଷ୍ଟ୍ରା ରହିବ । ଆଉ ଡ୍ୟାନ୍ସ କାର୍ଯ୍ୟକ୍ରମ ହେବନି । ଏଥିପାଇଁ ଅବକାରୀ ନିୟମାବଳୀ-୨୦୧୭ରେ ସଂଶୋଧନ ମଧ୍ୟ କରିଛନ୍ତି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ କେବଳ କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଅଂଚଳ ମଧ୍ୟରେ ଲାଇସେନ୍ସପ୍ରାପ୍ତ ଅନ୍ ସପ୍ ଓ ବାରଗୁଡ଼ିକରେ ମ୍ୟୁଜିକାଲ ପ୍ରୋଗ୍ରାମ ଓ ଅର୍କେଷ୍ଟ୍ରା କରିବାର ପ୍ରାବଧାନକୁ ମଧ୍ୟ ହଟାଇ ଦେଇଛନ୍ତି ।
ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ(ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି । ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ(ରୁଲସ) ଆଧାରରେ ଏଣିକି ରାଜ୍ୟର ମଦବାରଗୁଡ଼ିକରେ ମହିଳାମାନେ ମ୍ୟୁଜିକାଲ ପ୍ରୋଗାମ ଅବା ଅର୍କେଷ୍ଟ୍ରା ପରିବେଷଣ କରିପାରିବେ । ଓଡ଼ିଶା ଅବକାରୀ ରୁଲସ-୨୦୧୭ର ନିୟମାବଳୀ-୪୪(ସବରୁଲସ-୪)ର ପ୍ରାବଧାନରେ ସଂଶୋଧନ କରାଯାଇଛି । ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ବିକିବାକୁ ଅନସପ୍ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ । ପୁରୁଣା ନିୟମାବଳୀରେ ଥିବା ‘ଡ୍ୟାନ୍ସ କାର୍ଯ୍ୟକ୍ରମ’ର ପ୍ରାବଧାନକୁ ସଂଶୋଧିତ ରୁଲସରେ ହଟାଇ ଦିଆଯାଇଛି ।
ସେହିପରି ସବ୍ରୁଲସ-୫ରେ ସଂଶୋଧନ କରାଯାଇଛି ଏହି ଅନୁମତି ପ୍ରଦାନ ନିମନ୍ତେ ଯେଉଁଥିରେ ଅବକାରୀ କମିଶନରଙ୍କୁ ସର୍ତ୍ତମୂଳକ କ୍ଷମତା ଦିଆଯାଇଛି । ଅବକାରୀ କମିଶନର ୨୧ଟି ସର୍ତ୍ତ ଆଧାରରେ ଏହି ମଦବାରଗୁଡ଼ିକ ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ୨୦୧୭ ନିୟମାବଳୀରେ ୧୭ଟି ସର୍ତ୍ତ ଥିବାବେଳେ ସଂଶୋଧିତ ନିୟମାବଳୀରେ ଆଉ ୪ଟି ନୂଆ ସର୍ତ୍ତ ଯୋଡ଼ା ଯାଇଛି ।
ଲାଇସେନ୍ସପ୍ରାପ୍ତ ଅନସପ୍ ଓ ମଦବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ ଏବଂ ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ ତଥା ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ । ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା’ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଂଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଆଉ ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇ ସେପର୍ଯ୍ୟନ୍ତ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ବନ୍ଦ ରହିବ । ଅର୍କେଷ୍ଟ୍ରା ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ । ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ ।
ଲାଇସେନ୍ସଧାରୀ ମଦବାର ମାଲିକଙ୍କୁ ଆବେଦନ କରିବାବେଳେ ଅର୍କେଷ୍ଟ୍ରାରେ ପରିବେଷଣ କରୁଥିବା ମହିଳା ଅବା ପୁରୁଷଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ । ଏହାସହିତ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ ସହ ସେମାନଙ୍କର ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ମଧ୍ୟ ଦେବାକୁ ପଡ଼ିବ । ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁଡ଼ିକର ସତ୍ୟତା ଯାଂଚ କରିବାକୁ ପଡ଼ିବ । ସେହିପରି ପ୍ରଦର୍ଶନକାରୀ(ପୁରୁଷ ଓ ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ । ସେହି ପ୍ରଦର୍ଶନକାରୀ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଥିବା ନେଇ ଏକ ସମ୍ମତିପତ୍ର ଦେବେ ଯାହାକୁ ବାରମାଲିକ ଅନୁମତି ନେବାବେଳେ ଦାଖଲ କରିବେ । ପୂର୍ବରୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାର୍ଜସିଟ୍ ଥିବା ମହିଳାଙ୍କୁ ଏହି ଅର୍କେଷ୍ଟ୍ରା ପ୍ରଦର୍ଶନ ନିମନ୍ତେ ଅନୁମତି ମିଳିବ ନାହିଁ । ବାର ପରିସରରେ ଯେଉଁ ଷ୍ଟେଜରେ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ ତା’ର ଚାରିପଟେ ୩ଫୁଟ ଉଚ୍ଚର ବାଡ଼ ରହିବ ଓ ଗ୍ରାହକଙ୍କଠୁ ଅତିକମରେ ୫ଫୁଟ ଦୂରତ୍ୱରେ ରହିବ । ସେହି ଷ୍ଟେଜ୍ ୧୦ଫୁଟରେ ୧୨ଫୁଟ ଅର୍ଥାତ୍ ସର୍ବନିମ୍ନ ୧୨୦ବର୍ଗଫୁଟ ହେବା ଜରୁରୀ । ମହିଳା ସଙ୍ଗୀତ ପରିବେଷଣକାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର ସୁବିଧା ରହିବା ଜରୁରୀ । ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ଉପଯୋଗ କରିପାରିବେ । ମଦବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକଙ୍କୁ ଯୋଗାଇବାକୁ ପଡ଼ିବ । ବାର ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନହେବେ ସେଥିପାଇଁ ବାରମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ ।
ସେହିପରି ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିବା ପୁରୁଷ ଅବା ମହିଳାଙ୍କୁ ଏଣିକି ଗ୍ରାହକମାନେ ସିଧାସଳଖ ଟଙ୍କା ଅବା କୌଣସି ପୁରସ୍କାର ଦେଇପାରିବେ ନାହିଁ । ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା’ହେଲେ ସମ୍ପୃକ୍ତ ମଦବାରର ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ । ମଦବାର ପରିସରରେ କାହାରିକୁ ସିଗାରେଟ୍ ସେବନ ପାଇଁ ଅନୁମତି ମିଳିବ ନାହିଁ । ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ଅଗ୍ନିଶମ ପ୍ରମାଣପତ୍ର ଦେବାକୁ ଆଣିବାକୁ ପଡ଼ିବ । ସେହିପରି ମଦବାର ପରିସରରେ ଶବ୍ଦ ପ୍ରଦୂଷଣ ନିୟମ-୨୦୦୦ର ସର୍ତ୍ତାବଳୀ ମଧ୍ୟ ବାରମାଲିକମାନଙ୍କୁ ପାଳନ କରିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତ ଅଗଷ୍ଟ ୨୩ତାରିଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ରାଜ୍ୟ ସରକାର ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଅଗଷ୍ଟ ୩୧ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଆଣିଥିଲେ ଓ ସେଥିରେ ଡ୍ୟାନ୍ସବାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ଆଜି ପୁରୁଣା ରୁଲସରେ ସଂଶୋଧନ କରି ବାରରେ କେବଳ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁମତି ଦେଇଛନ୍ତି । ଅର୍ଥାତ୍ ରାଜ୍ୟତମାମ ଅନସପ୍ ଓ ମଦବାରଗୁଡ଼ିକରେ ଏହି ମ୍ୟୁଜିକାଲ ପ୍ରୋଗ୍ରାମ ବା ଅର୍କେଷ୍ଟ୍ରା କରାଯାଇପାରିବ ।
Sign in
Sign in
Recover your password.
A password will be e-mailed to you.