ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ଏନସିପିର ନେତା ନୱାବ ମଲିକ ଆଜି ମୁମ୍ବାଇର ମନଖୁର୍ଦ ଶିବାଜୀ ନଗର ନିର୍ବାଚନ ମଣ୍ଡଳୀରୁ ୨ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଗୋଟିଏ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଓ ଏନସିପିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନୱାବ ମଲିକ କ’ଣ ନିର୍ବାଚନ ପୂର୍ବରୁ କିଛି ଗୋଟିଏ ବଡ଼ ପଦକ୍ଷେପ ନେବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।
ତେବେ ଦୁଇଟି ନାମାଙ୍କନ ପତ୍ର ଦାଖଲକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ନୱାବ ମଲିକ ପରବର୍ତ୍ତୀ ଅବସ୍ଥାରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଆଜି ମୁଁ ମନଖୁର୍ଦ ଶିବାଜୀ ନଗର ବିଧାନସଭା ଆସନରୁ ଏନସିପି ପ୍ରାର୍ଥୀ ଭାବେ ଗୋଟିଏ ନାମାଙ୍କନ ଦାଖଲ କରିଛି।
ସମାନ ଆସନରୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟ ନାମାଙ୍କନ ଭରିଛି। କିନ୍ତୁ ଦଳ ପକ୍ଷରୁ ନାମାଙ୍କନ ବେଳେ ଏବି ଫର୍ମ(ଦଳର ପ୍ରାର୍ଥୀ ହେବାର ପ୍ରମାଣପତ୍ର) ପଠା ଯାଇଥିଲା ଓ ଆମେ ଏହାକୁ ଦିନ ୨.୫୫ରେ ଦାଖଲ କରିଛୁ। ଏହାର ଅର୍ଥ ମୁଁ ଏବେ ବିଧିବଦ୍ଧ ଭାବେ ଏନସିପିର ପ୍ରାର୍ଥୀ।
ମୁଁ ଅଜିତ ପାୱାର, ପ୍ରଫୁଲ ପଟେଲ ଓ ସୁନୀଲ ଟାଟକାରେଙ୍କ ପାଖରେ କୃତଜ୍ଞ। ସେମାନେ ମୋ ଉପରେ ଭରସା ଦେଖାଇଛନ୍ତି। ବିପୁଳ ସଂଖ୍ୟାରେ ଭୋଟର ମୋତେ ସମର୍ଥନ କରିବେ। ଏଥର ଆମେ ମନଖୁର୍ଦ ଶିବାଜୀ ନଗର ଆସନ ଜିତିବାକୁ ଯାଉଛୁ।”
ନାମାଙ୍କନ ଦାଖଲ କରିବା ବେଳେ ନୱାବ ମଲିକ କହିଥିଲେ ଯେ ଦଳ ପକ୍ଷରୁ ଏବି ଫର୍ମ ଦାଖଲ କରାଯାଇନାହିଁ। ସେ କହିଥିଲେ. “ଯଦି ଏବି ଫର୍ମ ସମୟ ପୂର୍ବରୁ ଦାଖଲ କରାଯିବନି, ତା’ହେଲେ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକଙ୍କ ଇଚ୍ଛା ଅନୁସାରେ ଲଢ଼ିବି। ଯଦି ଫର୍ମ ଦାଖଲ କରାଯିବ, ତା’ହେଲେ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବି।”
୨୦୧୯ରେ ନୱାବ ମଲିକ ମୁମ୍ବାଇର ଅନୁଶକ୍ତି ନଗର ଆସନରୁ ଜିତିଥିଲେ। ଏଠାରେ ଏଥର ଅଜିତ ପାୱାରଙ୍କ ଏନସିପି ନୱାବ ମଲିକଙ୍କ ଝିଅ ସାନାଙ୍କୁ ଟିକେଟ ଦେଇଛି। ତାଙ୍କର ଲଢ଼େଇ ଶରଦ ପାୱାରଙ୍କ ଏନସିପି ପ୍ରାର୍ଥୀ ଫହାଦ ଅହମଦଙ୍କ ସହ ହେବ। ଅହମଦ ହେଉଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଝିଅ।
ନୱାବ ମଲିକ ଏକଦା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି। ପୂର୍ବରୁ ସେ ଶରଦ ପାୱାରଙ୍କ ସହ ଥିବା ବେଳେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ବ୍ୟବହାର କରି ବିରୋଧୀଙ୍କୁ ଗିରଫ କରୁଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଅଜିତ ପାୱାରଙ୍କ ସହ ବିଜେପି ନେତୃତ୍ୱାଧୀନ ମାହାୟୁତି ମେଣ୍ଟରେ ସାମିଲ ହୋଇଛନ୍ତି।
ଆସନ୍ତା ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
Sign in
Sign in
Recover your password.
A password will be e-mailed to you.